ଯେଉଁ ଦେଶର ସ୍ୱର୍ଣ୍ଣ ଭଣ୍ଡାର ଯେତେ ମଜଭୁତ ସେ ଦେଶ ସେତେ ସ୍ୱଛଳ ଓ ସେହି ଦେଶର ଆର୍ଥିକ ସ୍ଥିରତା ସେତେ ଅଧିକ। ୧୮୦୦ ଶତାବ୍ଦୀ ଶେଷ ଓ ୧୯୦୦ ଶତାବ୍ଦୀ ଆରମ୍ଭ ପରଠାରୁ ବୈଶ୍ୱିକ ଅର୍ଥବ୍ୟବସ୍ଥା ସଞ୍ଚାଳନରେ ସୁନା ପ୍ରତ୍ୟକ୍ଷ ଭୂମିକା ନିର୍ବାହ କରିଆସୁଛି। ସେବେଠାରୁ ବିଶ୍ୱର ଦେଶମାନେ ନିଜ ମୁଦ୍ରା ଓ ସୁନାର ଏକ ନିଶ୍ଚିତ ମାତ୍ରା ମଧ୍ୟରେ ଏକ ବିନିମୟ ଦର ସ୍ଥିର କରି ନିଜର କାଗଜ ମୁଦ୍ରା ମୂଲ୍ୟକୁ ସୁନାର ସାହାରା ଦେଉଛନ୍ତି।ସେହି ଅନୁସାରେ ଆମେରିକାର ସ୍ୱର୍ଣ୍ଣ ଭଣ୍ଡାର ବିଶ୍ୱରେ ସର୍ବ ବୃହତ୍ତ। ଆମେରିକା ନିକଟରେ ୮ହଜାର ୧୩୩.୪୬ ଟନ ସୁନା ରହିଛି। ଆମେରିକା ପଛକୁ ଜର୍ମାନ ସ୍ୱର୍ଣ୍ଣ ଭଣ୍ଡାର ଦ୍ୱିତୀୟ ସର୍ବ ବୃହତ୍ତ ସ୍ୱର୍ଣ୍ଣ ଭଣ୍ଡାର। ଜର୍ମାନ ନିକଟରେ ୩ହଜାର ୩୫୧.୫୩ ଟନ ସୁନା ରହିଛି। ତୃତୀୟ ସ୍ଥାନରେ ରହିଛି ଇଟାଲୀ ଯାହାର ୨ହଜାର ୪୫୧.୮୪ ଟନ ସୁନା ରହିଛି। ଏଥିରେ ଫ୍ରାନ୍ସ ଚତୁର୍ଥ ସ୍ଥାନରେ ଥିବା ବେଳେ ଏହାର ୨ହଜାର ୩୩୫.୮୫ ଟନ ସୁନା ଅଛି। ପଞ୍ଚମ ସ୍ଥାନରେ ଋଷିଆ ଥିବା ବେଳେ ଷଷ୍ଠ ସ୍ଥାନରେ ରହିଛି ଚୀନ। ଏହାର ସ୍ୱର୍ଣ୍ଣ ଭଣ୍ଡାରରେ ୨,୨୬୪.୩୨ଟନ ସୁନା ଅଛି। ଚୀନ୍ ପଛକୁ ସପ୍ତମ ସ୍ଥାନରେ ରହିଛି ଜାପାନ। ଜାପାନ ପଛକୁ ୮୪୦.୭୬ ଟନ ସୁନା ସହ ଭାରତ ଅଷ୍ଠମ ସ୍ଥାନରେ ରହିଛି । ଭାରତ ପଛକୁ ନେଦର ଲ୍ୟାଣ୍ଡ ନବମ ସ୍ଥାନରେ ଥିବା ବେଳେ ଏହାର ସ୍ୱର୍ଣ୍ଣ ଭଣ୍ଡାରରେ ୬୧୨.୪୫ ଟନ ସୁନା ରହିଛି। ୫୮୪.୯୩ ଟନ ସୁନା ସହିତ ତୁର୍କି ୧୦ମ ସ୍ଥାନରେ ରହିଛି। ଏ ପର୍ଯ୍ୟନ୍ତ ବିଶ୍ୱରେ ପାଖାପାଖି ୨୪୪,୦୦୦ ମେଟ୍ରିକ ସୁନା ସନ୍ଧାନ କରାଯାଇଛି। ଏଥିରେ ୧୮୭,୦୦୦ ମେଟ୍ରିକ ଟନ ସୁନା ଉତ୍ପାଦିତ ହୋଇଛି ଓ ଏବେବି ୫୭,୦୦୦ ମେଟ୍ରିକ ଟନ ସୁନା ଭୂ-ଗର୍ଭରେ ରହିଛି। ଅଧିକାଂଶ ସୁନା ଚୀନ୍, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରୁ ମିଳିଛି। ୨୦୧୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ସ୍ୱର୍ଣ୍ଣ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ଥିଲା। ଉଲ୍ଲେଖଯୋଗ୍ୟ ଯେ ଏବେ ଯେତିକି ସୁନା ଉତ୍ପାଦନ ହେଉଛି ଏହାର ଅଧିକାଂଶ ଭାଗ ଆଭୂଷଣ ନିର୍ମାଣରେ ବ୍ୟୟ ହେଉଛି। ତେବେ ସୁନାର ବ୍ୟବହାର କମ୍ପ୍ୟୁଟର, ସଞ୍ଚାର ଉପକରଣ, ମହାକାଶଯାନ, ଜେଟ୍ ବିମାନ ଇଞ୍ଜିନ ଓ ଅନ୍ୟ ଉତ୍ପାଦ ନିର୍ମାଣରେ ମଧ୍ୟ ହେଉଛି।ବିଶ୍ୱର ଦେଶମାନେ ବିଭିନ୍ନ କାରଣରୁ ସୁନା ଗଛିତ ରଖୁଛନ୍ତି। ଏହାର ପ୍ରଥମ କାରଣ ହେଉଛି ସୁନା ଏକ ସ୍ଥିର ଓ ବିଶ୍ୱସନୀୟ ଭଣ୍ଡାର। ସୁନା ଗଛିତ ରଖିବା ଯୋଗୁ କୌଣସି ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଅନ୍ୟ ଦେଶର ଭରସା ପାଇଥାଏ। ଆର୍ଥିକ ଅନିଶ୍ଚିତତା କାଳରେ ସୁନାକୁ ଋଣ ନେବା ପାଇଁ ବ୍ୟବହାର କରାଯାଇ ପାରେ। ଏହା ଛଡା ସୁନା ଐତିହାସିକ ରୂପେ କୌଣସି ଦେଶର ମୁଦ୍ରା ମୂଲ୍ୟକୁ ସାହାରା ଦେବାରେ ସହାୟକ ହୋଇଥାଏ।