ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଜଙ୍ଗଲ ଆମ ମା ପରିବେଶ ଆମର ବନ୍ଧୁ ଏହାର ସୁରକ୍ଷା ଆମର କର୍ତ୍ତବ୍ୟ।ସହରୀକରଣ ଜୀବନଶୈଳୀ ମଧ୍ୟରେ ପରିବେଶକୁ ବଞ୍ଚାଇବାକୁ ଅଣ୍ଟା ଭିଡିଛନ୍ତି ଜଣେ ଯୁବ ପିଢି।ଗାଁ ଗାଁ ବୁଲୁଛନ୍ତି ସଚେତନର ବାର୍ତ୍ତା ବାଣ୍ଟୁଛନ୍ତି। ଔପଗା ବ୍ଲକ ଦକ୍ଷିଣନରସିଂହପୁର ପଞ୍ଚାୟତ ଗୋବରା ଗ୍ରାମର ଯୁବ ପରିବେଶବିତ୍ କମଳଲୋଚନ ପଣ୍ଡା ଲାଇବ୍ରେରୀ ସାଇନ୍ସରେ ନିଜର ସ୍ନାତକ ସାରିବା ପରେ ନୀଳଗିରି ନିର୍ବାଚନ ମଣ୍ଡଳୀ ଅଧୀନ ଔପଦା ବ୍ଲକ୍ ଏବଂ ନୀଳଗିରି ବ୍ଲକର ବିଭିନ୍ନ ଗ୍ରାମରେ ବନାଗ୍ନି ନିରାକରଣ, ବନ୍ୟପ୍ରାଣୀ ସୁରକ୍ଷା , ପରିବେଶ ସୁରକ୍ଷା ,ବୃକ୍ଷ ରୋପଣ,ସଚେତନତା କାର୍ଯ୍ୟକ୍ରମ କ୍ରମାଗତ ଭାବେ ଆୟୋଜନ କରୁଛନ୍ତି । ଜୈବବିବିଧତା, ବନ୍ୟପ୍ରାଣୀ ସୁରକ୍ଷା, ପରିବେଶ ସନ୍ତୁଳନ, ବନ୍ୟପ୍ରାଣୀଙ୍କ ଉପକାରିତା ସମ୍ପର୍କରେ କମଳଲୋଚନ ଗ୍ରାମବାସୀଙ୍କୁ ବୁଝାଉଛନ୍ତି। ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମରେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ହେଉଥିବା କ୍ଷତି ଓ ପରିବେଶ ଉପରେ ଏହାର କୁପ୍ରଭାବ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ ମଧ୍ୟ କରୁଛନ୍ତି । ଜଙ୍ଗଲ ଆମର ଜାତୀୟ ସମ୍ପତ୍ତି ଓ ଜୀବ ଜଗତର ବନ୍ଧୁ ତେଣୁ ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ବ ଓ କର୍ତ୍ତବ୍ୟ। ଜଙ୍ଗଲରେ ନିଆଁ ଲାଗିଲେ କେବଳ ଜଙ୍ଗଲ ପୋଡ଼ି ଯିବ ନାହିଁ। ଏହି ନିଆଁ ଗ୍ରାମ୍ୟ ଏବଂ ସହରୀ ଜୀବନକୁ ମଧ୍ୟ ପ୍ରଭାବିତ କରିବ। ଏହି ଦୃଷ୍ଟିରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ଵ। ପରିଶେଷରେ ଜଙ୍ଗଲରେ ନିଆଁ ନଲଗାଇବାକୁ ଗ୍ରାମବାସୀ ଶପଥ ପାଠ ମଧ୍ୟ କରାଉଛନ୍ତି । ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା, ପରିବେଶ ପ୍ରଦୂଷଣ ରୋକିବା, ଜଳବାୟୁ ପରିବର୍ତ୍ତନ, ବିଶ୍ବତାପନ ବୃଦ୍ଧି ଜନିତ ସମସ୍ୟାର ସମାଧାନ ପ୍ରଭୃତି ବାର୍ତ୍ତା ନେଇ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଛନ୍ତି ।କେବଳ ସେତିକି ନୁହେଁ ସ୍କୁଲ ଗୁଡିକରେ ବିଭିନ୍ନ ପରିବେଶ ଭିତ୍ତିକ କୁଇଜ,ପ୍ରବନ୍ଧ,ଓ ବକ୍ତୃତା ପ୍ରତିଯୋଗିତା ମାନ କରିବା ସହ ସେମାନଙ୍କୁ ପରିବେଶ ସମ୍ବନ୍ଧରେ ଅବଗତ କରୁଛନ୍ତି।ଗାଁ ଗୁଡିକରେ ଲୋକମାନଙ୍କୁ ବୃକ୍ଷ ପ୍ରଦାନ କରି ତାକୁ ନିଜର ଏକ ପରିବାର ସଦସ୍ୟ ଭଳି ଯତ୍ନ ନେବା ପାଇଁ ଅନୁରୋଧ କରୁଛନ୍ତି।