ନୂଆ ରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଲେ ହରିବାବୁ କମ୍ଭମପତି । ରାଜଭବନରେ ଆୟୋଜିତ ହୋଇଥିବା କାର୍ଯ୍ୟ କ୍ରମରେ ଯୋଗ ଦେଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ଚକ୍ରଧାରି ସରନ୍ ସିଂ। ସେ ନୂତନ ରାଜ୍ୟ ପାଳଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଓଡ଼ିଶାର ୨୭ତମ ରାଜ୍ୟପାଳଭାବେ ସେ ଶପଥ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ଥିଲେ। ଏହାଛଡ଼ା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ଗତକାଲି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ତାଙ୍କୁ ସ୍ବାଗତ କରିଥିଲେ। ଗତକାଲି ସନ୍ଧ୍ୟାରେ ଶ୍ରୀ କମ୍ଭମପତି ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ମା’ ବିମଳା, ମହାଲକ୍ଷ୍ମୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ପ୍ରାୟ ୪୫ ମିନିଟ୍ ଧରି ଶ୍ରୀମନ୍ଦିର ଭିତରେ ସେ ରହିଥିଲେ ଓ ମହାପ୍ରସାଦ ସେବନ କରି ଫେରିଥିଲେ। ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ଲାଗିଖଣ୍ଡୁଆ ଦେଇ ସ୍ବାଗତ କରାଯାଇଥିଲା। ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ସୋମନାଥ ଖୁଣ୍ଟିଆ ଓ ଅନ୍ୟମାନେ ଲାଗିଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ। ଦର୍ଶନ ସାରି ଫେରିବା ପରେ ଜୟ ଜଗନ୍ନାଥ କହି ଭାବବିହ୍ୱଳ ହୋଇ ପଡ଼ିଥିଲେ ନୂଆ ରାଜ୍ୟପାଳ।