ମଦୁଆଙ୍କୁ ସାବାଡ଼ କରିବାକୁ ଆଗକୁ ଆସିବେ ମହିଳା । ସାଜିବେ ସରକାରଙ୍କ ସଚେତନତା ଅଭିଯାନର ସାରଥୀ । ସ୍କୁଲରୁ ହିଁ ନିଶା ମୁକ୍ତି ଅଭିଯାନର ପଡିବ ମୂଳଦୁଆ । ଏସବୁକୁ ନୂଆ ମଦନୀତିରେ ଆଣିବାକୁ ଯାଉଛନ୍ତି ମୋହନ ସରକାର ।ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।ଗ୍ରାମାଞ୍ଚଳରେ ନିଶା ରୋକିବାକୁ ମହିଳାଙ୍କୁ ମିଳିବ ଗୁରୁଦାୟିତ୍ବ । କିଛି ଏଭଳି ଢଙ୍ଗରେ ମାଷ୍ଟରଷ୍ଟ୍ରୋକ ମାରିବାକୁ ଯାଉଛନ୍ତି ମୋହନ ସରକାର । ନିଶାମୁକ୍ତ ଅଭିଯାନର ମଙ୍ଗ ଧରିବେ ମିଶନ ଶକ୍ତି ମହିଳା । ଘରକୁ ଘର ବୁଲିବେ, ସଚେତନ କରିବେ । ଅନ୍ୟପଟେ ସ୍କୁଲ ପରିସରରୁ ବେଆଇନ ମଦ ଦୋକାନ ହଟାଯିବ । ମଦ ଓ ଡ୍ରଗ୍ସ କାରବାର ବିରୋଧରେ ସ୍କୁଲ ଓ କଲେଜରେ କ୍ୟାମ୍ପେନ କରାଯିବ ।ରଜ ପରେ ପରେ ନୂଆ ଅବକାରୀ ନୀତି ଆଣିବେ ରାଜ୍ୟ ସରକାର । ଆନ୍ଧ୍ର ମଡେଲରେ ନୂଆ ଅବକାରୀ ନୀତି ଆଣିବାକୁ ପ୍ରାୟତଃ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ସଚିବସ୍ତରୀୟ ଏକ ଟିମ୍ ଆନ୍ଧ୍ରପ୍ରଦେଶ ଯାଇ ସେଠାକାର ଅବକାରୀ ନୀତିକୁ ତଜର୍ମା କରିଛନ୍ତି । ୩ ବର୍ଷିଆ ଅବକାରୀ ନୀତିରେ ଓଡ଼ିଶାକୁ ବେଆଇନ ନିଶାମୁକ୍ତ କରିବାକୁ ଫୋକସରେ ରଖାଯାଇଛି ।ବେଆଇନ ମଦ କାରବାର ପୂର୍ବଭଳି ଚାଲିଛି, ଜୀବନ ବି ଯାଇଛି । କିନ୍ତୁ ଅପବାଦରୁ ଅଳ୍ପକେ ବର୍ତ୍ତିଛନ୍ତି ମୋହନ ସରକାର । ପୂର୍ବରୁ ମଦମୁକ୍ତ ଓଡ଼ିଶା ଗଠନର ନାରା ଦେଇ ସରକାରକୁ ଆସିଛି ବିଜେପି । ତେଣୁ କେବଳ ବେଆଇନ ମଦ କବଳରୁ ମୁକ୍ତି ନୁହେଁ ବରଂ ପୂରା ମଦ ମୁକ୍ତ ଓଡ଼ିଶା ଗଠନ ଦିଗରେ ମୋହନ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା ।