ବାଲେଶ୍ବର ସ୍ଥିତ ଫକିର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ଓଡିଶା ବନ୍ଦ ପାଳନ କରାଯାଉଛି। ବନ୍ଦ ପାଳନରେ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ,ଟ୍ରେଡ ୟୁନିଅନ୍,କୃଷକ ସଂଗଠନ,ମହିଳା,ଯୁବକ,ଛାତ୍ର ଓ ସମାଜର ସମସ୍ତ ବର୍ଗ ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତପୁର କଂଗ୍ରେସ କମିଟି ପକ୍ଷରୁ ୮ନଂ ବ୍ଲକ୍ କଂଗ୍ରେସ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଜଗତପୁର ଗୋଲେଇ ଛକରେ ବନ୍ଦ ପାଳନ କରାଯାଇଛି। ମୃତ ଛାତ୍ରୀ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ବ୍ୟବସ୍ଥାକୃତ ଭାବେ ହତ୍ୟା କରାଯାଇଥିବା ବନ୍ଦ ପାଳନ ବେଳେ ନାରାବାଜି ଦିଆଯାଇଛି। ସେହିପରି ମୃତ ଛାତ୍ରୀଙ୍କୁ ନ୍ୟାୟ ଦେବା ଆଳରେ ମହାବିଦ୍ୟାଳୟର ଏଜୁକେସନ ବିଭାଗୀୟ ମୁଖ୍ୟ ଏବଂ ପ୍ରିନ୍ସିପାଲ୍ ଙ୍କୁ ଗିରଫ କରାଯାଇ ଲୋକଙ୍କ ସରକାର କହୁଥିବା ମୋହନ ସରକାର ଦାୟିତ୍ଵ ସାରି ଦେଇଥିବା ଅଭିଯୋଗ ଉଠାଇଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ,ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ଇସ୍ତଫା ଦାବି କରିଥିଲେ ପ୍ରତିବାଦକାରୀ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସିପିଆଇ ନେତା ଉଦୟ କେଶରୀ ବର୍ମା,ସୁନାକର ବରାଳ,ନଗର କଂଗ୍ରେସର ମୁଖପାତ୍ର ମାନସ ପରିଡା,୩୫ନଂ ୱାର୍ଡ କର୍ପୋରେଟର ଜେ. କାମେଶ୍ୱର ରାଓ,ବରିଷ୍ଠ କଂଗ୍ରେସ ନେତା ଜୟନାରାୟଣ ତ୍ରୀପାଠୀ,୪୮ନଂ ୱାର୍ଡ ସଭାପତି ରଶ୍ମିକାନ୍ତ ସାମଲଙ୍କ ସମେତ ଶତାଧିକ କର୍ମକର୍ତ୍ତା ସାମିଲ ହୋଇ ବନ୍ଦ ପାଳନକୁ ସଫଳ କରିଛନ୍ତି।