କେନ୍ଦୁଝର ଜିଲ୍ଲା ଯୋଡା ଅବକାରୀ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନ ମାନଙ୍କରୁ ଚଢାଉ କରି ୧୩୫ ଲିଟର ବେଆଇନ ହାତରନ୍ଧା ଦେଶୀ ମହୁଲି ମଦ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ୨ ଜଣ ପୁରୁଷ ଓ ଜଣେ ମହିଳା ମଦ ବେପାରୀଙ୍କୁ ଅବକାରୀ ବିଭାଗ ଗିରଫ କରି ପୃଥକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଖବର ହସ୍ତଗତ ହୋଇଛି । ଯୋଡା ଅବକାରୀ ବିଭାଗ ଅଧୀନ କ୍ୟାମ୍ପହଟିଂ ନିକଟରୁ ବେଆଇନ ରନ୍ଧା ମହୁଲି ମଦ ମୋଟର ଟୁ୍ୟବ୍ ସାହାଯ୍ୟରେ ଭର୍ତ୍ତି ହୋଇ ଯୋଡା ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯୋଗାଣ କରିବା ଉଦେ୍ଦଶ୍ୟରେ ଆଣୁଥିବା ବେଳେ ଯୋଡା ଅବକାରୀ ବିଭାଗ ବେଆଇନ ମହୁଲି ମଦ ଓ ବାଇକକୁ ଜବତ କରିବା ସହିତ ୨ ଜଣକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଖବର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ,କ୍ୟାମ୍ପହଟିଂ ଅଞ୍ଚଳରୁ ବେଆଇନ ରନ୍ଧା ୧୨୦ ଲିଟର ମହୁଲି ମଦ ଟୁ୍ୟବ୍ ସାହାଯ୍ୟରେ ବୋଲେରୋ (ଓଆର-୦୯ସି-୫୯୭୫) ରେ ଭର୍ତ୍ତି କରି ଯୋଡାର ବିଭିନ୍ନ ସ୍ଥାନରେ ଯୋଗାଣ କରିବା ଉଦେ୍ଦଶ୍ୟରେ ଆଣୁଥିବା ସମୟରେ କୁନ୍ଦୁରୁନାଲା ନିକଟରେ ଧରାପଡିଥିବା ବିଭାଗ ସୂତ୍ରରୁ ଜଣାପଡିଛି । ଘଟଣାର ସମ୍ପୃକ୍ତ ୨ ଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର ହେଉଥିବା ବେଳେ ଅବକାରୀ ବିଭାଗର ଅଧିକାରୀ କାବୁ କରିବାରେ ସକ୍ଷମ ହୋଇଥିଲେ । ଗିରଫ ଦ୍ୱୟ ଅଭିଯୁକ୍ତ ହେଲେ କ୍ୟାମ୍ପହଟିଂ ଅଞ୍ଚଳର ରାମ ଓରାମ (୩୪) ଓ ମଙ୍ଗଲ ହେମ୍ବ୍ରମ (୩୧) । ସେହିପରି ଅନ୍ୟ ଏକ ଘଟଣାରେ ବିଭାଗର ଚଢାଉ କ୍ରମେ ଯୋଡା ପୌରାଞ୍ଚଳ ଅଧୀନସ୍ତ ହୁଡିସାହି ଅଞ୍ଚଳର ଗୀତା ମହାକୁଡ (୪୪) ବେଆଇନ୍ ମହୁଲି ମଦ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରିଥିଲା । ଗୀତା ନିକଟରୁ ୧୫ ଲିଟର ମହୁଲି ମଦ ଜବତ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଏ ସଂକ୍ରାନ୍ତରେ ଯୋଡା ଅବକାରୀ ବିଭାଗ ତିନୋଟି ପୃଥକ ୭୧/୨୫,୭୨/୨୫ ଓ ୭୩/୨୫ରେ ତିନୋଟି ମାମଲା ରୁଜୁ କରି ୧୩୫ ଲିଟର ମହୁଲି ମଦ ଓ ବାଇକକୁ ଜବତ କରିବା ସହିତ ଅଭିଯୁକ୍ତ ତ୍ରୟକୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଖବର ଯୋଡା ଅବକାରୀ ଅଧିକାରୀ ପ୍ରଶାନ୍ତ ପରିଡାଙ୍କ ଠାରୁ ଜଣାପଡିଛି ।