ତାତି ସିଜନ ଯଦିଓ ଚଳିତ ବର୍ଷ ଖୁବ୍ ଶୀଘ୍ର ଆସିଛି , କିନ୍ତୁ ପାଣିପାଗକୁ ନେଇ ମୌସୁମୀ ବିଭାଗ ବଡ଼ ଅପଡେଟ୍ ଦେଇଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମଙ୍ଗଳବାର ଏହାକୁ ନେଇ ଭଲ ଖବର ଦେଇଛି। ଆଇଏମଡି କହିଛି , ଏହିଥର ମୌସୁମୀରେ ସାଧାରଣ ଠାରୁ ଅଧିକ ବର୍ଷା ହେବ। ଏଥିରେ ଚାଷୀ ଓ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବ। ତେବେ ଆଇଏମଡିର ମୁଖ୍ୟ ମୁତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଚଳିତ ମନସୁନ ସିଜନ୍ରେ ଅଲ୍ ନିନୋର ସ୍ଥିତି ଉପୁଜିବ ନାହିଁ। ଭାରତରେ ମନସୁନ୍ର ଚାରି ମାସ ଅର୍ଥାତ୍ ଜୁନ୍ରୁ ସେପ୍ଟେମ୍ୱରରେ ସାଧାରଣରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗର ଆକଳନ ଯେ, ଚଳିତ ଥର ବର୍ଷାର ପରିମାଣ ଦୀର୍ଘକାଳୀନ ୮୭ ସେଣ୍ଟିମିଟରର ହାରାହାରି ୧୦୫ ପ୍ରତିଶତ ରହିବ। ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ , ଅଲ୍ ନିନୋର ସ୍ଥିତି , ଯାହା ଭାରତୀୟ ଉପମହାଦ୍ୱୀପରେ ସାଧାରଣରୁ କମ୍ ମୌସୁମୀ ବର୍ଷା ସହ ଜଡ଼ିତ , ଏହିଥର ବିକଶିତ ହେବାର ସମ୍ଭାବନା ନାହିଁ । ପାଣିପାଗ ବିଭାଗ ପକ୍ଷରୁ ଭବିଷ୍ୟବାଣୀ ଏମିତି ସମୟରେ ଆସିଛି,ଯେବେ ଦେଶର ଅନେକ ସ୍ଥାନରେ ଲୋକେ ଭୀଷଣ ଗରମରେ ସିଝୁଛନ୍ତି। ମୌସୁମୀ ବର୍ଷାର ସିଧା ପ୍ରଭାବ ଚାଷରେ ପଡ଼ିଥାଏ। ଭଲ ମୌସୁମୀ ରହିବା ଭାରତର କୃଷିକ୍ଷେତ୍ର ପାଇଁ ବହୁତ ଜରୁରୀ। ପାଖାପାଖି ୪୨.୩ ପ୍ରତିଶତ ଜନସଂଖ୍ୟାର ଜୀବନଜୀବିକା ଏହା ଉପରେ ନିର୍ଭରଶୀଳ। ଏହା ଦେଶର ସମସ୍ତ ଘରୋଇ ଉତ୍ପାଦ (ଜିଡିପି)ରେ ୧୮.୨ ପ୍ରତିଶତର ଯୋଗଦାନ ଦେଇଥାଏ। ଦେଶର ୫୨ ପ୍ରତିଶତ କୃଷି କ୍ଷେତ୍ର ବର୍ଷା ଦ୍ୱାରା ହିଁ କୃଷିକାର୍ଯ୍ୟ ହୋଇଥାଏ। ଏହା ସାରା ଦେଶରେ ପିଇବା ପାଣି ଓ ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳାଶୟ ଗୁଡ଼ିକୁ ଭରିବା ପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ଭାରତରେ ମୌସୁମୀ ସାଧାରଣତଃ ୧ଜୁନ୍ ପାଖାପାଖି କେରଳର ଦକ୍ଷିଣୀ ପ୍ରାନ୍ତରେ ଆସିଥାଏ। ଏହା ମଧ୍ୟ ସେପ୍ଟେମ୍ୱରରେ ପୁଣି ଫେରି ଯାଏ। ସାଧାରଣ ବର୍ଷାର ଅର୍ଥ ଚାରି ମାସର ମନସୁନ୍ ସିଜନରେ ୮୭ ସେଣ୍ଟିମିଟରର ହାରାହାରି ବର୍ଷାର ୯୬ ପ୍ରତିଶତରୁ ୧୦୫ ପ୍ରତିଶତ ଯାଏ ବର୍ଷା ହେବ । ଏହି ପରିମାଣ ଗତ ୫୦ ବର୍ଷର ତଥ୍ୟ ଉପରେ ଆଧାରିତ।