ବଡ ଦିନ ହେବା ମାତ୍ରେ ଦିନ ବଡ ହେବା ସହ ରାତି ଛୋଟ ହୋଇଥାଏ । ଅର୍ଥାତ ନଭେମ୍ୱର ମାସରେ ହେଉଥିବା ଶୀତ ଧିରେ ଧିରେ କମ ହୋଇଥାଏ । ହେଲେ ଏଥର ହୋଇଥିବା ବର୍ଷା ପାଇଁ ରାଜ୍ୟରେ ପାଗର ପରିବର୍ତ୍ତନ ଦେଖା ଦେଇଛି । ଏଥରର ବର୍ଷା ରାଜ୍ୟରେ ଫସଲ ଉଜାଡିବା ସହ ଶୀତର ମାତ୍ରା ମଧ୍ୟ ବଢାଇ ଦେଇଛି । ଯାହାଫଳରେ ବର୍ତ୍ତମାନ ହନ୍ତସନ୍ତ ରାଜ୍ୟ ବାସୀ । ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଶୀତ ବଢ଼ିବ। ରାଜ୍ୟର କେତେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁସାରେ ଜାନୁଆରି ୨ ତାରିଖରେ ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ରହିବାର ସମ୍ଭାବନା ରହିଛି। ସେହିପରି ଫୁଲବାଣୀ ଓ ସୁନ୍ଦରଗଡ଼ ୯ ଡିଗ୍ରୀ, ବାରିପଦା ଏବଂ ଅନୁଗୁଳରେ ତାପମାତ୍ରା ୧୧ ଡିଗ୍ରି ରହିବାର ସମ୍ଭାବନା ରହିଛି।ସେହିପରି କଟକର ତାପମାତ୍ରା ୧୪ ଡିଗ୍ରି, ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ସେଲସିୟସ୍ ରହିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଜାନୁଆରି ୩ ତାରିଖଠାରୁ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ଜାନୁୟାରି ୩ରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ରହିବାର ସମ୍ଭାବନା ଥିବାବେଳେ ରାଉରକେଲାର ତାପମାତ୍ରା ୧୧ ଡିଗ୍ରି ରହିବ ବୋଲି ଆକଳନ କରାଯାଇଛି।