ଢେଙ୍କାନାଳ ସଦମହକୁମାରେ ଶନିବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପବିତ୍ର ସାଧାରଣତନ୍ତ୍ର ଦିବସକୁ ଉତ୍ସାହର ସହିତ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।ଏହି ପବିତ୍ର ଜାତୀୟ ଦିବସ ପାଳନ ଅବସରରେ ଜାନୁୟାରୀ ୨୬ ତାରିଖ ଦିନ ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ ରାମଧୂନ ପରିବେଷଣ କରାଯିବ । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ,ଶିଳ୍ପାନୁଷ୍ଠାନ ଓ ନିଜସ୍ୱ ଅନୁଷ୍ଠାନରେ ସକାଳ ୭ ଟା ୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ । କାର୍ଯ୍ୟାଳୟଗୁଡିକରେ ପତାକା ଉତ୍ତୋଳନ ସମୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିବେ । ସକାଳ ୭.୪୫ ମି. ସମୟରେ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଦିବସର ମୁଖ୍ୟଅତିଥି ମାଲ୍ୟାର୍ପଣ କରିବେ ଏବଂ ସକାଳ ୮ ଟା ୩୦ ମିନିଟ ପରେ ଢେଙ୍କାନାଳ ଷ୍ଟାଡିୟମଠାରେ ଅନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡର ଅଭିବାଦନ ଗ୍ରହଣ କରିବେ । ଆନୁଷ୍ଠାନିକ ପ୍ୟାରେଡରେ ପୋଲିସ ବାହିନୀ, ଓଏସଏପି ପ୍ରଥମ ବାଟାଲିଆନ, ପୋଲିସ ବ୍ୟାଣ୍ଡ ଦଳ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ୟାରେଡ ଦଳ ଅଂଶ ଗ୍ରହଣ କରିବେ ବୋଲି ସ୍ଥିର ହୋଇଛି । ଏହି ଅବସରରେ ବିଭିନ୍ନ ବିଭାଗ ଦ୍ବାରା ପ୍ରସ୍ତୁତ ଜନହିତକର ଓ ସଚେତନଧର୍ମୀ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବ ଏବଂ ପ୍ୟାରେଡ ପରେ ପରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ