• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିନାଶ ଆଡକୁ ଯାଉଛି ପୃଥିବୀ

Spread the love

ଆମ ପୃଥିବୀ ନଷ୍ଟ ହେଉଛି। ଆଗକୁ ବହୁତ ଖରାପ ସମୟ ଆସୁଛି। ଏବେଠାରୁ ସତର୍କ ନହେଲେ ବିନାଶ ନିଶ୍ଚିତ। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏପରି କାହିଁକି କହୁଛୁ ? ଏପରି କହିବା ପଛରେ ଆମର ଉଦ୍ଦେଶ୍ୟ କଣ? ବାସ୍ତବରେ ଦିନକୁ ଦିନ ଯାହା ସବୁ ଘଟିଯାଉଛି ତାପମାତ୍ରା ଯେପରି ବୃଦ୍ଧି ହେଉଛି ବଞ୍ଚିବା ଅସମ୍ଭବ ହୋଇଯାଉଛି। ଯେଉଁଭଳି ଭାବରେ ଜଙ୍ଗଲ ନଷ୍ଟ କରାଯାଉଛି, ନିଜ ମୃତ୍ୟୁକୁ ମଣିଷ ନିଜେ ଆମନ୍ତ୍ରଣ କରୁଛି। ନିଜ ସ୍ବାର୍ଥ ପାଇଁ ମଣିଷ ଏଠି କିଛି ବି କରୁଛି। ବିପଦ ଆଡକୁ ମୂହାଁଉଛି ଆମ ପୃଥିବୀ। ନିକଟରେ ହାଇଦ୍ରାବାଦର କାଞ୍ଚା ଗାଚିବୋଲି ଜଙ୍ଗଲର ୪୦୦ ଏକର ଜଙ୍ଗଲକୁ ଯେଉଁଭଳି ଭାବରେ ନଷ୍ଟ କରାଯାଇଛି ଏ ଘଟଣା ବା କାହାକୁ ଅଜଣା । ଏହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ୪୦୦ ଏକର ଜମି କାହାର ତାକୁ ନେଇ ବିବାଦ ହେଉଥିଲା, ଜଙ୍ଗଲ କାହିଁକି କଟାହେଉଥିଲା ତାକୁ ନେଇ ଏଠି ଲୋକେ କାରଣ ଦେଉଥିଲେ କି ଏତେ ବଡ ପ୍ରୋଜେକ୍ଟ ହେବ, ଏତେ ଲାଭ ହେବ, ଏତେ ଲୋକ ଚାକିରି ପାଇବେ ଆହୁରି କେତେ କଣ କିନ୍ତୁ କେତେ ଗଛ ନଷ୍ଟ ହେବ ସେ କାରଣ କାହାକୁ ବି ଦେଖାଗଲାନାହିଁ।

ସୂଚନା ଅନୁଯାୟୀ ହାଇଦ୍ରାବାଦର ୪୦୦ ଏକର ଜମିରେ ତେଲେଙ୍ଗାନା ସରକାର ଆଇଟି ଏବଂ ଇନଫ୍ରାଷ୍ଟ୍ରକଚର କରିବା ପାଇଁ ବଡ଼ ପ୍ରୋଜେକ୍ଟ ହାତକୁ ନେଇଥିଲେ ଯେଉଁଥିପାଇଁ ପୂରା ଜଙ୍ଗଲ କାଟିବା ଆରମ୍ଭ କରାଯାଇଥିଲା। କିନ୍ତୁ ଏହି ଜଙ୍ଗଲ ଭିତରେ ରହିଛି ହାଇଦ୍ରାବାଦ ୟୁନିଭର୍ସିଟି। ଏଠାକାର ପିଲାମାନେ ଏହାକୁ ବନ୍ଦ କରିବାକୁ ଧାରଣାରେ ବସିଥିଲେ। ସେମାନେ ସେଠାରେ କୌଣସି ବି ବିଲଡିଙ୍ଗ ତିଆରି ହେଉ ତାହା ଚାହୁଁନଥିଲେ । କାରଣ ଏହା ଦ୍ବାରା ପରିବେଶ ଧ୍ବଂସ ପାଇଯିବ। ବିରୋଧ କରିବାର ୪ ଦିନ ପରେ ସୁପ୍ରିମକୋର୍ଟ ଏପ୍ରିଲ ୩, ୨୦୨୫ ରେ ତେଲେଙ୍ଗାନା ସରକାରଙ୍କୁ ସମସ୍ତ ଜଙ୍ଗଲ କଟା କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦିଓ ବର୍ତ୍ତମାନ ଏହା ବନ୍ଦ ହୋଇଯାଇଛି କିନ୍ତୁ ପ୍ରଶ୍ନ ହେଉଛି ଯେତିକି ଗଛ କାଟିଦିଆଯାଇଛି କଣ ତାହା ପୁଣି ଫେରିଯିବ? ସେତିକି ଗଛ ହେବାକୁ ପୁଣି କେତେ ବର୍ଷ ଲାଗିବ ତାର ଧାରଣା କାହାକୁ ବି ଅଛି? ଆଉ କେତେଦିନ ପର୍ଯ୍ୟନ୍ତ ମଣିଷ ନିଜ ସ୍ବାର୍ଥ ପାଇଁ ପ୍ରକୃତିକୁ ବଳି ପକାଉଥିବ?

ଦୁଃଖର କଥା ହେଉଛି ମଣିଷ ଏସବୁର ପରିଣତି ଜାଣିଛି କିନ୍ତୁ ତା ସତ୍ତ୍ବେ ବି ଗଛ କାଟିଚାଲିଛି। ସାଧାରଣତଃ ଜଙ୍ଗଲକୁ ପୃଥିବୀର ଫୁସଫୁସ ବୋଲି କୁହାଯାଏ । ଜଙ୍ଗଲ ଅଛି , ଗଛଲତା ସବୁଜୀମା ଅଛି ତ ଆମେ ଅଛେ । ପରିବେଶ ସଫା ରହୁଛି, ଆମେ ନିଶ୍ବାସ ପ୍ରଶ୍ବାସ ନେଇପାରୁଛେ। ପ୍ରକୃତି ଅଛି ତ ଆମେ ସବୁ ବଞ୍ଚିଛେ। କିନ୍ତୁ ଲୋକଙ୍କର କେବଳ ଖରାଦିନ ଆସିଲେ ତାପମାତ୍ରା ବଢିଲେ ହିଁ ଗଛର ଗୁରୁତ୍ବ ହୃଦୟଙ୍ଗମ ହୁଏ , ଜଙ୍ଗଲ ଜୀବନ କଥା ପଡେ।

Leave a Reply

Your email address will not be published. Required fields are marked *