• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ

ByOdishri Khabar

May 14, 2025
Spread the love

ସାନ୍ତାଳୀ ଭାଷାର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ଉତ୍ସବ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ।

ଏହି ଅବସରରେ ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକ୍ୟାପ୍ଟର ଯୋଗେ ଆସି ଦାଣ୍ଡବୋଷ ଏଆର ଷ୍ଟ୍ରିପ ଠାରେ ଅବତରଣ କରିବା ପରେ ଦାଣ୍ଡବୋଷ ଗ୍ରାମକୁ ଯାଇ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତା’ଙ୍କ ସମାଧି ସ୍ଥଳରେ ପହଂଚି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ, ଦାଣ୍ଡବୋଷ ଅଂଚଳରେ ଥିବା ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରିବାକୁ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତିଯେ, ଅଲଚିକି ଲିପିର ୧୦୦ ବର୍ଷ ପୂରଣ ସମାରୋହ ୧ ବର୍ଷ ବ୍ୟାପି ସାରା ରାଜ୍ୟରେ ପାଳନ ହେବ। ଅଲଚିକି ଲିପି ଓ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ଏକ ଅନ୍ତର୍ଜାତୀୟ ସେମିନାର ଆୟୋଜନ ହେବ। ଏଥିସହିତ, ପଣ୍ଡିତ ମୁର୍ମୁଙ୍କ ରଚିତ ସମସ୍ତ ପୁସ୍ତକ ଗୁଡିକୁ ଜନାଦୃତ କରାଇବା ପାଇଁ, ବାରିପଦାରେ ଅଲଚିକି ଲାଇବ୍ରେରୀ ପ୍ରତିଷ୍ଠା, ପଣ୍ଡିତ ରଘୁନାଥ ମୁର୍ମୁ ଓପନ ଥିଏଟର-ସଂଗ୍ରହାଳୟ, ଏବଂ ତାଙ୍କ କର୍ମଭୂମି ଠାରେ ଐତିହ୍ୟ ଭବନ ପ୍ରତିଷ୍ଠା କରାଯିବ ବୋଲି ସେ ଘୋଷଣା କରିବା ସହିତ ଏହି ସବୁ କାର୍ଯ୍ୟ ପାଇଁ ସମୁଦାୟ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ।

ଆମେ ଅନେକ ସମୟରେ ଭାଷାକୁ କେବଳ ଯୋଗାଯୋଗ ର ସାଧନ ବୋଲି ଭାବୁ। କିନ୍ତୁ ଭାଷା ହେଉଛି ଅସ୍ମିତା, ଅସ୍ତିତ୍ୱ, ଓ ଅଭିମତର ପ୍ରତିନିଧି। ଯେଉଁ ସମାଜ ନିଜ ଭାଷାରେ ଗର୍ବ ଅନୁଭବ କରେ, ସେହି ସମାଜ ଆଗକୁ ବଢ଼େ। ଅଲଚିକି ଏହି ଗର୍ବର ପ୍ରତୀକ। ଏହା ମନୁଷ୍ୟକୁ ଶିକ୍ଷା, ସଂହତି, ଓ ସଂସ୍କୃତିରେ ଏକ ଜନଶକ୍ତି ରୂପେ ଗଢ଼ିଥାଏ। ଓଡ଼ିଶା ସରକାର ଏହି ଲିପି ଓ ସାନ୍ତାଳୀ ଭାଷା ପ୍ରତି ସଦା ଗଭୀର ଦୃଷ୍ଟି ଓ ପ୍ରଶ୍ରୟ ଦେଇଛି। ପ୍ରାଥମିକ ଶିକ୍ଷାରେ ସାନ୍ତାଳୀ ଭାଷାର ଅନୁଷ୍ଠାନ, ପାଠ୍ୟପୁସ୍ତକ ତିଆରି, ଶିକ୍ଷକ ପ୍ରଶିକ୍ଷଣ, ଓ ଭାଷା ଶୋଧ କେନ୍ଦ୍ର ସୃଷ୍ଟି ଦ୍ୱାରା ଆମେ ଏହାକୁ ଆଗକୁ ନେଉଛୁ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେଯେ, ସାନ୍ତାଳ ସମାଜ ପାଇଁ ପଣ୍ଡିତ ମୁର୍ମୁ ଦେଖିଥିବା ପଥ ଆଜି ମଧ୍ୟ ଆଲୋକମୟ। ମୁଁ ଚାହେଁ ଯେ ଆମ ପିଢ଼ି ପିଢ଼ି ତାଙ୍କ ଦେଖିଥିବା ମୂଲ୍ୟବୋଧ, ଜ୍ଞାନ, ଓ ସଂସ୍କୃତି ପ୍ରତି ପ୍ରେମକୁ ଅନୁସରଣ କରୁ। ଅନ୍ୟ ଭାଷା, ଅନ୍ୟ ଧର୍ମ, ଅନ୍ୟ ସଂସ୍କୃତି ପାଇଁ ସମ୍ମାନ ଓ ଆତ୍ମସମ୍ମାନ ହେଉ ସାମ୍ପ୍ରଦାୟିକ ସମନ୍ୱୟର ମୂଳ ଶକ୍ତି। ତାଙ୍କ ଦର୍ଶନ ଓ ଆଦର୍ଶକୁ ଆଗେଇନେବା ଆମ ସମସ୍ତଙ୍କର ଦାୟିତ୍ୱ। ତାଙ୍କ ନାମରେ ଏକ ମେଡିକାଲ କଲେଜ୍‌ ଖୋଲାଯାଇଛି। ତାଙ୍କ ନାମରେ ଆହୁରି ଅଧିକ ଗବେଷଣା କେନ୍ଦ୍ର, ଶିକ୍ଷାନୁଷ୍ଠାନ ସ୍ଥାପିତ କରିବା ପାଇଁ ଆମେ ସଂକଳ୍ପବଦ୍ଧ ହେବା। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର କାର୍ଯ୍ୟକୁ ଆହୁରି ଜୋରଦାର୍‌ କରାଯିବ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେଯେ ଗୁରୁ ଗୋମକେ ଗୋଟିଏ ଏମିତି ଫୁଲ ଥିଲେ, ଯିଏ ମଉଳିବା ପରେ ମଧ୍ୟ ନିଜ ସୁଗନ୍ଧ ପ୍ରସାରି ଚାଲିଛନ୍ତି।

ସେହିପରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ,ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ପଣ୍ଡିତ ମୁର୍ମୁଙ୍କୁ ଜଣେ ଅଲୌକିକ ଶକ୍ତିର ଅଧିକାରୀ ବୋଲି କହିଥିବା ବେଳେ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ, ଏହି ଉତ୍ସବ ଯୋଗୁଁ ଆଜି ଇତିହାସ ପୁନର୍ଜିବିତ ହୋଇ ଉଠିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ।

କାର୍ଯ୍ୟକ୍ରମ ଅବସରରେ, ମୁଖ୍ୟମନ୍ତ୍ରୀ, ପ୍ରସିଦ୍ଧ ସାନ୍ତାଳୀ ଭାଷା ଗବେଷକ, ଶ୍ରୀ ଚୂନଦା ସୋରେନଙ୍କୁ ଗୁରୁ ଗୋମକେ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରିବା ସହିତ ଏକ ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ ଏବଂ ୧୦୦ ସଦସ୍ୟ ବିଶିଷ୍ଠ ଏକ ଗ୍ରୁପ ଅଲଚିକି ଲିପି ଓ ସାନ୍ତାଳୀ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଉକ୍ତ ଗ୍ରୁପକୁ ସମ୍ମାନିତ କରିବା ସହ ୫ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ ଏହି ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନ ଉପରେ ଆଧାରିତ ଏକ ସ୍ମରଣିକା ଉନ୍ମୋଚନ କରାଯିବା ସହିତ ପଣ୍ଡିତ ମୁର୍ମୁଙ୍କ ବଂଶଜ ଶ୍ରୀ ଚୁନିୟାନ ମୁର୍ମୁଙ୍କୁ ଓ ପ୍ରସିଦ୍ଧ ସାନ୍ତାଳୀ ଲେଖିକା ତଥା ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶ୍ରାଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ଶ୍ରୀମତୀ ମମତା ମହାନ୍ତ, ସାଂସଦ, ଶ୍ରୀ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ, ଶ୍ରୀ ଜଲେନ ନାଏକ, ସାରସକଣା ବିଧାୟକ, ଶ୍ରୀ ଭାଦବ ହାଁସଦା, କରଞ୍ଜିଆ ବିଧାୟକ,
ଶ୍ରୀ ପଦ୍ମଚରଣ ହାଇବୁରୁ, ବାରିପଦା ବିଧାୟକ, ଶ୍ରୀ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ, ଶ୍ରୀ ସନାତନ ବିଜୁଳି ବାଙ୍ଗିରିପୋଷି ବିଧାୟିକା, ସୁଶ୍ରୀ ସଞ୍ଜୀଳି ମୁର୍ମୁ, ପଣ୍ଡିତ ରଘୁନାଥ ମୁର୍ମୁ ଐତିହ୍ୟ ଟ୍ରଷ୍ଟର ପୃଷ୍ଠପୋଷକ ତଥା ପୂର୍ବତନ ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ମଂଚାସୀନ ଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ ସ୍ୱାଗତଭାଷଣ ଦେଇଥିବା ବେଳେ, ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଧନ୍ୟବାଦ ଅର୍ପଣ କରିଥିଲେ।
ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ, ଉପଖଣ୍ଡ ସ୍ତରୀୟ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *