ଜଗତପୁର ୪୮ନଂ ୱାର୍ଡ ଭୁବନପୁର ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଜୀଉଙ୍କ ନୂତନ ମନ୍ଦିର,ଦକ୍ଷିଣ ମୁଖି ହନୁମାନଙ୍କ ମନ୍ଦିର ଏବଂ ପାର୍ଶ୍ଵ ଦେବାଦେବୀଙ୍କ ବିଗ୍ରହ ପ୍ରତିଷ୍ଠା ଶ୍ରୀଶ୍ରୀ ରାଧାଗୋବିନ୍ଦ ଜୀଉ ପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି। ପ୍ରଥମ ଦିବସରେ ନିମପୁର ବଟେଶ୍ୱର ନିକଟ ମହାନଦୀ ଘାଟରୁ ଶ୍ରଦ୍ଧାଳୁଙ୍କ ଦ୍ୱାରା ଜଳପୂର୍ଣ୍ଣ କଳସ ଅଣାଯିବା ପରେ ଅଗ୍ନିସ୍ଥାପନ କରାଯାଇ ଯଜ୍ଞ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। କଳସ ଶୋଭାଯାତ୍ରା ଭୁବନପୁର ଗ୍ରାମରୁ ବାହାରି ନଜରପୁର,ଗୟାନା ଛକ,ମହାନଦୀ ବ୍ୟାରେଜ୍ ଛକ,ଆଇ.ବି ରୋଡ୍,ପଣ୍ଡାସାହି,ବଉଳେଇ ସାହି ପରିକ୍ରମା କରି ରାଧାଗୋବିନ୍ଦ ଜୀଉଙ୍କ ମନ୍ଦିରରେ ପହଞ୍ଚିଥିଲା। ମାଳିକା ବିଶାରଦ ପ୍ରମୋଦ କୁମାରଙ୍କ ଦ୍ଵାରା ମାଳିକା ବିଚାର ଏବଂ ପରଦିନ ଦେବତାନ୍ୟାସ,ପ୍ରାଣ ପ୍ରତିଷ୍ଠା,ଷୋଡଶ ଉପଚାର ପୂଜା,ଶ୍ରୀ ହନୁମାନଙ୍କ ଆହୁତି ପ୍ରଦାନ କରାଯାଇଥିଲା। ସେହିପରି ଶେଷ ଦିନରେ ଶ୍ରୀ ଶ୍ରୀ ରାଧାଗୋବିନ୍ଦଙ୍କ ଷୋଡଶ ଉପଚାର ପୂଜା ସାଙ୍ଗକୁ ଗୀତାଯଜ୍ଞ ଅନୁଷ୍ଠିତ ହୋଇ ଯଜ୍ଞ କାର୍ଯ୍ୟର ପୂର୍ଣ୍ଣାହୁତି ହୋଇଥିଲା। ମୁଖ୍ୟ ପଣ୍ଡିତ ଭାବେ କିଶୋର ମିଶ୍ରଙ୍କ ଦ୍ଵାରା ଯଜ୍ଞାଦି କାର୍ଯ୍ୟ ସମ୍ପାଦିତ ହୋଇଥିବା ବେଳେ କର୍ତ୍ତା ଭାବେ ଶ୍ରୀରାମ ପଣ୍ଡା ଓ ତାଙ୍କ ପତ୍ନୀ ଲିନା ପଣ୍ଡା ସଂକଳ୍ପ ନେଇଥିଲେ। ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଜୀଉ ପୂଜା କମିଟି,ଭୁବନପୁର ପକ୍ଷରୁ ଆୟୋଜିତ ଏହି ୫ଦିନିଆ ଉତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ପରିବେଷଣ,ରାମ କଥା,ହନୁମାନ ଚାଳିଶା ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି କରିଥିଲା। ଯଜ୍ଞ ପୂର୍ଣ୍ଣାହୁତି ଅବସରରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ,ଶ୍ରଦ୍ଧାଳୁ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ।ଜଗତପୁରରୁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ,ଓଡିଶ୍ରୀ ଖବର