କଳାହାଣ୍ଡି ଜିଲ୍ଲାରେ ଏମେତିବି ଗାଁ ଅଛି ଯେଉଁ ଗାଁ କି ଭାରତ ସ୍ଵାଧୀନତାର ୭୬ ବର୍ଷ ପରେ ମଧ୍ୟ ଲୋକେ ଅନେକ କଷ୍ଟରେ ଜୀଵନ ଯାପନ କରୁଛନ୍ତି । ରାସ୍ତା ନ ଥିବା ଯୋଗୁଁ ଗ୍ରାମବାସୀ ଅଭିଶପ୍ତ ଜୀଵନ ଜିଉଁଛନ୍ତି । ରାଜନେତା, ନିର୍ବାଚିତ ପ୍ରତିନିଧି ମାନଙ୍କ ମିଥ୍ୟ ପ୍ରତିଶ୍ରୁତି ପାଲଟିଛି ସୁହାନୁଭୁତି ।
ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ତଳ ଝାପି ପଞ୍ଚାୟତ ଅନ୍ତର୍ଗତ ଝାପିଗୁଡା ଗାଁ । ଏହି ଗାଁ ରେ ପ୍ରାୟ ୪୦ଟି ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ଲୋକେ କାହିଁ ଆଦିମ କାଳରୁ ବସବାସ କରି ଆସୁଛନ୍ତି । ହେଲେ ଗ୍ରାମବାସୀଙ୍କୁ ରାସ୍ତା ପାଇଁ ହୀନସ୍ତା ହେବାକୁ ପଡୁଛି । ଯାହା ଫଳରେ ଯମ ଯନ୍ତ୍ରଣା ଭୋଗିବାକୁ ପଡୁଛି ।ରାସ୍ତା ନ ଥିବା ଯୋଗୁଁ ଗାଁ କୁ ଆମ୍ବୁଲାନ୍ସ ଆସିପାରେ ନାହିଁ । ଅଧା ବାଟରେ ଅଟକି ଯାଏ । ଲୋକେ ଖଟିଆରେ ବୋହି ନେଇ କି ଯାଆନ୍ତି । ଝାପିଗୁଡା ଗାଁ ରେ ୨୦୦୯ ମସିହାରେ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇଥିଲା, ହେଲେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ କମ ଥିବା ଯୋଗୁଁ ସରକାର ଏହି ସ୍କୁଲ କୁ ବନ୍ଦ କରିଦେଲେ । ବର୍ତ୍ତମାନ ଛାତ୍ରଛାତ୍ରୀ ପ୍ରାୟ ୯ କିମି ଚାଲି ଚାଲି ସ୍କୁଲ ଯାଉଛନ୍ତି । ଗାଁ ରେ ଅଙ୍ଗନୱାଡି କେନ୍ଦ୍ର ଅଛି,ହେଲେ ଅଙ୍ଗନୱାଡିକର୍ମୀ କେବେ କେମିତି ମନଇଚ୍ଛା ଆସନ୍ତି । ୩ବର୍ଷ ର ଶିଶୁକୁ ପ୍ରାକ ଶିକ୍ଷା ଦେବା ବାଧ୍ୟତାମୂଳକ ଥିବା ବେଳେ ଅଙ୍ଗନୱାଡି କେବଳ ଅଣ୍ଡା ଛତୁଆ ଦେବା ପାଇଁ ଆସିଥାନ୍ତି ବୋଲି ଅଭିଯୋଗ ହୁଏ । ନିର୍ବାଚିତ ପ୍ରତିନିଧି ଠାରୁ ଆରମ୍ଭ କରି ରାଜନେତା ଓ ପ୍ରଶାସନିକ ଅଧିକାରୀ ବଦଳୁଛନ୍ତି ହେଲେ ଏହି ଗ୍ରାମବାସୀଙ୍କ ଭାଗ୍ୟ ବଦଳି ପାରୁନାହିଁ । ଗ୍ରାମବାସୀ ଅନେକ ଅଭିଯୋଗ କଲେ ମଧ୍ୟ ଏମାନଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନାହାନ୍ତି । ନିର୍ବାଚନ ଆସିଲେ ଏହି ଗାଁକୁ ଯାଇ ମାଳ ମାଳ ପ୍ରତିଶ୍ରୁତି, ହେଲେ ନିର୍ବାଚନ ସାରିଗଲେ ପ୍ରତିଶ୍ରୁତି ତ ଦୂରର କଥା ଆଉ ଦେଖା ଦିଅନ୍ତି ନାହିଁ । ବର୍ତ୍ତମାନ ରାଜ୍ୟରେ ବିଜେଡି ସରକାର ଗଲା ପରେ ବିଜେପି ସରକାର ଆସିଛି । ଏହି ସରକାର ଗ୍ରାମବାସୀଙ୍କ ଦୁଃଖକୁ ବୁଝି ରାସ୍ତା ନିର୍ମାଣ କରିବେ,ଏହାକୁ ଚାତକ ଭଳି ଅନେଇ ବସିଛନ୍ତି।