ସହର ଉପକଣ୍ଠରେ ଷ୍ଟ୍ରବେରୀ ଚାଷ। ଦେଢ଼ ମାସ ଚାଷ କଲେ। ବର୍ତ୍ତମାନ ଦୈନିକ ୩୦ କେଜି ଷ୍ଟ୍ରବେରୀ ଆଦାୟ ହେଉଛି। ପ୍ରତିଦିନ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ଏହି ଚାଷ ବର୍ତ୍ତମାନ ମକରଝୋଳର ଡି. ନାରାୟଣଙ୍କୁ ସ୍ବାବଲମ୍ବୀ କରିଛି। ସେ କହିଛନ୍ତି, ଅର୍ଗାନିକ ଫାର୍ମି ତାଙ୍କର ନିଶା ଥିଲା। ପିଲାବେଳୁ ତାଙ୍କର ଚାଷରେ ଆଗ୍ରହ ରହି ଆସିଛି। ବର୍ତ୍ତମାନ ଗୋଟିଏ ସ୍ଥାନରେ ପନିପରିବା ସହ ମହୁ, ଆଖୁ ଓ ଷ୍ଟ୍ରବେରୀ ଚାଷ କରୁ ଛନ୍ତି।
ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ଷ୍ଟ୍ରବେରୀ ଫଳ ଚାଷ ହୁଏ। ଏବେ ଏହା ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ହେବାରେ ଲାଗିଛି । ବ୍ରହ୍ମପୁର ଉପକଣ୍ଠ ହିଞ୍ଜିଳି ବ୍ଳକ୍ ମକରଝୋଳ ଗ୍ରାମରେ ହଜାର ହଜାର ସଂଖ୍ୟାରେ ଷ୍ଟ୍ରବେରୀ ଫଳିଛି। ଏକରେ ଜମିରେ ସବୁଜ ପତ୍ର ସାଙ୍ଗରେ ଲାଲ ରଙ୍ଗର ଫଳ ବଗିଚା ବେଶ ଆକର୍ଷଣୀୟ ହୋଇଛି। ଗ୍ରାମର ଡି. ନାରାୟଣ ପିଲାଟି ଦିନରୁ ଚାଷକୁ ନିଶା ଭାବେ ଗ୍ରହଣ କରି ନେଇଛନ୍ତି । ୧୯୬୯ ମସିହାରୁ ନିୟମିତ ଭାବେ ନିଜ ଜମିର ଅର୍ଗାନିକ୍ ଫାର୍ମି ଜାରି ରଖୁଛନ୍ତି। ପୂର୍ବରୁ ପନିପରିବା ଚାଷ କରୁଥିଲେ।
ଗତ କିଛି ବର୍ଷ ହେଲା ସେ ମହୁ, ଆଖୁ, ଲାଖ ପରି ଲାଭଦାୟକ ଚାଷ କରିବା ଆରମ୍ଭକରିଛନ୍ତି। ଚଳିତ ବର୍ଷ ପ୍ରଥମ କରି ସେ ଷ୍ଟ୍ରବେରୀ ଚାଷ ଆରମ୍ଭକରଛନ୍ତ । ଡିସେମ୍ବର ୧୬ରେ ସେ ଏକରେ ଜମିରେ ୧୦ ହଜାର ଷ୍ଟ୍ରବେରୀ ଚାରା ଲଗାଇଥିଲେ। ଏହାର ୪୦ ଦିନ ପରେ ଫଳ ଆସିବା ଆରମ୍ଭ ହୋଇଥିଲା। ଜାନୁ ଆରୀ ୩୦ରୁ ନିୟମିତ ୨୫ରୁ ୩୦ କେଜି ଲେଖାଏଁ ଷ୍ଟ୍ରବେରୀ ଆଦାୟ ହେଉଛି। ବଜାରରେ ଏହାର ଖୁଚୁରା ଦର ୬ ଶହ ଟଙ୍କା ରହିଥିବା ବେଳେ ହୋଲସେଲ୍ରେ ୪ଶହ ଟଙ୍କାରେ ବିକ୍ରି ହେଉଛି। ହିଞ୍ଜିଳି ସମେତ ବ୍ରହ୍ମପୁର ବଜାରରେ ଏହି ଷ୍ଟ୍ରବେରୀ ବିକ୍ରି କରାଯାଉଛି। ସେ ଦୈନିକ ୧୦ରୁ ୧୨ ହଜାର ଟଙ୍କା ରୋଜଗାର କରୁ ଛନ୍ତି ।
ନାରାୟଣ କହିଛନ୍ତି, ଏହା ଶୀତକୁ ଭଲ ପାଉଥିବା ଫସଲ ଟିଏ । ବିଶେଷ ଭାବେ ନଭେମ୍ବର ପହିଳା ବା ମହାଳୟା ଅମବାସ୍ୟା ପରଠୁ ଏହାର ଚାଷ ଆରମ୍ଭ କରିବା ଭଲ । ଜଣେ ଏକରେ ଜମିରେ ଏହାକୁ ଚାଷ କରି ବାର୍ଷିକ ୨ରୁ ୩ଲକ୍ଷ ଟଙ୍କା ଆଦାୟ କରିପାରିବ। ଚାଷୀଙ୍କ ମଧ୍ୟରେ ଲାଭଦାୟକ ଫଳ ଓ ପରିବା ଚାଷ ନେଇ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ କହି ଛନ୍ତି।