ହୋଇପାରେ କିଡନୀ ରୋଗ, ଗ୍ରୀଷ୍ମ ଋତୁରେ ଅତ୍ୟଧିକ ପାଣି ପିଉଥିଲେ ସାବଧାନ । ପଡିପାରେ କିଡନୀ ଉପରେ ପ୍ରଭାବ । ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ କିଡନୀ ବା ବୃକକ ଅନ୍ୟତମ ଅଙ୍ଗ ଅଟେ । ଏହା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରି ସୁସ୍ଥ ରଖିବାର କାର୍ଯ୍ୟ କରିଥାଏ । କିନ୍ତୁ ବର୍ତ୍ତମାନର ଜୀବନଶୈଳୀ କିଡନୀ ସ୍ୱାସ୍ଥ୍ୟକୁ ଅତ୍ୟଧିକ ମାତ୍ରାରେ କ୍ଷତି ପହଞ୍ଚାଉଛି । ଲୋକଙ୍କୁ କିଡନୀ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ପାଳନ କରାଯାଇଥାଏ । ଏନେଇ କିଡନୀ ରୋଗ ବିଶେଷଜ୍ଞ କ’ଣ କୁହନ୍ତି କିଡନୀ ରୋଗ ବିଶେଷଜ୍ଞ ମାନସ ରଞ୍ଜନ ପ୍ରଧାନ କହିଛନ୍ତି,” କିଡନୀ ରୋଗ ଆମ ଦେଶରେ ବା ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାର କାରଣ ଅନେକ ରହିଛି । ବର୍ତ୍ତମାନ ସମୟରେ ଡାଇବେଟିସ ସମେତ ରକ୍ତ ଚାପ କିଡନୀ ରୋଗର ମୁଖ୍ୟ କାରଣ ହୋଇସାରିଛି । ବିଶେଷ ଭାବରେ ବାହାର ଖାଦ୍ୟ ଖାଇବା, ବିଭିନ୍ନ ପ୍ରକାରର ସାର, ରାସାୟନିକ ସାର ଆଦି ସମସ୍ତ ବିଭିନ୍ନ ପ୍ରକାରର ଖାଦ୍ୟରେ ମିଶୁଛି । ଠିକ ଭାବରେ ନିଦ ନ ହେବା ଆଦି କିଡନୀ ରୋଗକୁ ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ । ଧିରେ ଧିରେ ଜୀବନ ଶୈଳୀ ପରିବର୍ତ୍ତନ ହେବା ସହିତ ପ୍ରଦୂଷଣ ଆଦି ମାତ୍ରା ଅଧିକ ହେଲେ କିଡନୀ ରୋଗ ବଢିବାରେ ସମ୍ଭାବନା ଅଧିକ ରହିଥାଏ । ଖରା ଦିନରେ କେତେ ମାତ୍ରାରେ ପାଣି ପିଇବା ଆବଶ୍ୟକ :ସେ ଆହୁରି କହିଛନ୍ତି,”କିଡନୀ ଶରୀରରେ ଥିବା ବର୍ଜ୍ୟବସ୍ତୁ ନିଷ୍କାସନ କରି ସୁସ୍ଥ ରଖିବାର କାର୍ଯ୍ୟ କରିଥାଏ । ପାଣିକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଭୁଲ ଧାରଣା । ଲୋକଙ୍କ ଧାରଣା ରହିଛି ଯେ ଖରା ଦିନରେ ଅତ୍ୟଧିକ ପାଣି ପିଇବା ଭଲ । କିନ୍ତୁ ଦୈନିକ ଭାବରେ ୮ରୁ ୧୦ ଗ୍ଳାସ ଅର୍ଥାତ ଦୁଇରୁ ଅଢେଇ ଲିଟର ପାଣି ପିଇବା ଆବଶ୍ୟକ । ତାପାମାତ୍ରା ଓ ଲୋକଙ୍କ ପରିଶ୍ରମକୁ ଦେଖି ପାଣି ପିଇବା ଆବଶ୍ୟକ । ଯଦି ଖରା ଦିନରେ କମ ପାଣି ପିଉଛନ୍ତି, ତେବେ ପରିସ୍ରା ହଳଦିଆ ହେବ । କିନ୍ତୁ ସାଧାରଣ ଭାବରେ ଦେଖିବାକୁ ଗଲେ ପରିସ୍ରାର ରଙ୍ଗ ଈଷତ ହଳଦିଆ ରହିବା ଅବଶ୍ୟକ । ପରିସ୍ରା ସଂପୂର୍ଣ୍ଣ ଧଳା ହେବା କଥା ନୁହେଁ । ଅର୍ଥାତ ପାଣି ପିଇବା ଅଧିକ ହେଉଛି । ଅନେକ ଲୋକ ଦୈନିକ ୮ ରୁ ୧୦ ଲିଟର ପାଣି ପିଉଛନ୍ତି । ଯାହାଫଳରେ କି କିଡନୀ ପାଇଁ ଏହା ଅତ୍ୟଧିକ ଖରାପ ଅଟେ । ଯାହା ଫଳରେ କିଡନୀର ସମୟସୀମା କମିବା ଏକ ପ୍ରକାରର ଛିଞ୍ଚିତ ଅଟେ । “କିଡନୀ ସୁସ୍ଥ କିପରି ରଖିବା: କେବଳ ଦେଶରେ ନୁହେଁ ପୃଥିବୀ ସାରା ମାର୍ଚ୍ଚ ମାସର ଦ୍ବିତୀୟ ଗୁରୁବାରକୁ ବିଶ୍ଵ କିଡନୀ ଦିବସ ଭାବରେ ପାଳନ କରାଯାଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା । ଆମ କିଡନୀରେ ଯେଉଁ ରୋଗ ରହିଛି । ତାହାକୁ ଶୀଘ୍ର ଚିହ୍ନଟ କରିବା ଆବଶ୍ୟକ । ଅନେକ ଲୋକ ପ୍ରାରମ୍ଭିକ ଭାବରେ ଜାଣିପାରନ୍ତି ନାହିଁ । ପ୍ରତିବର୍ଷ ଅତି କମରେ ଥରେ ଟେଷ୍ଟ କରିବା ଆବଶ୍ୟକ।ସୁସ୍ଥ କିଡନୀ ପାଇଁ ଖାଦ୍ୟପେୟ:ସୁଷମ ଖାଦ୍ଯ, ଖାଦ୍ଯରେ ସତେଜ ପନିପରିବା ଓ ଫଳ ରହିବା ଆବଶ୍ୟକ, ପ୍ଯାକେଟ ଖାଦ୍ଯ ଖାଇବା ଅନୁଚିତ ।ଯେଉଁମାନେ ମେଦ ବହୁଳତାର ଶିକାର ହେଉଛନ୍ତି, ତାହା କମ କରିବା ଆବଶ୍ୟକ । ୩୦ ମିନିଟ ବ୍ୟାୟମ କରିବା ଆବଶ୍ୟକ । ସକାରାତ୍ମକ ମନୋଭାବ ନେଇ ରହିବା ଆବଶ୍ୟକ ।କିଡନୀ ନଷ୍ଟ ହେବାର ପ୍ରାରମ୍ଭିକ ଲକ୍ଷଣ:ବାରମ୍ବାର ପରିସ୍ରା ହେବା,ପରିସ୍ରା ରଙ୍ଗରେ ପରିବର୍ତ୍ତନ,ପରିସ୍ରାରେ ଫେଣ ଆସିବା,ହାତ, ପାଦ, ଗୋଡ ଫୁଲିବା, ଯନ୍ତ୍ରଣା ହେବା,ଏକାଗ୍ରତା ନ ରହିବା,ବାନ୍ତି ହେବା କିମ୍ବା ବାନ୍ତି ଲାଗିବା,ନିଦ୍ରା ଅଭାବ,ଦୁର୍ବଳ ଲାଗିବା,ନିଶ୍ବାସ ନେବାର ସମସ୍ୟା,ଭୋକ ନହେବା,ଡ୍ରାଏ ସ୍କିନ/ ଚର୍ମ କୁଣ୍ଡେଇ ହେବା କିମ୍ବା ଲାଲ୍ ଲାଲ୍ ଫଳିଯିବା,ଓଜନ କମିବା କିମ୍ବା ହଠାତ୍ ଅଧିକ ବଢିଯିବା । କିଡନୀ ଫେଲ୍ ହେବାର କାରଣ:ଅସ୍ବାସ୍ଥ୍ୟକର ଖାଦ୍ୟ ଓ ଜୀବନଶୈଳୀ,କମ୍ ପାଣି ପିଇବା,ତମାଖୁ ଓ ମଦ୍ୟପାନ,ଡାଇବେଟିସସହାଇବ୍ଲଡପ୍ରେସର,କିଡନୀ ଷ୍ଟୋନ,ମୂତ୍ରନଳୀରେ ରକ୍ତ ଜମାଟ ବାନ୍ଧିବା,କିଡନୀ ଚାରିପାଖରେ ରକ୍ତ ଜମାଟ,ରକ୍ତକୁ ନିୟନ୍ତ୍ରଣ କରୁଥିବା ସ୍ନାୟୁଗୁଡିକ ଦୁର୍ବଳ ହେବା,ଆଜିକାଲିର ଅସ୍ବାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ,ବିଶେଷକରି ହୃଦରୋଗ, ଡାଇବେଟିସ, କିଡନୀ ସମସ୍ୟା ଯେମିତି ସାଧାରଣ ହୋଇଗଲାଣି । ଏଥିପାଇଁ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଖୁବ୍ ଜରୁରୀ ଅଟେ ।କିଡ଼ନୀ ରୋଗର ସମାଧାନ:ବିଶେଷ ଭାବରେ କିଡନୀ ରୋଗ ପ୍ରାରମ୍ଭିକ ସମୟରେ ଜଣାପଡିଲା ପରେ ମେଡିସିନ ଦ୍ଵାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏପଟେ ରୋଗୀଙ୍କ ଖାଦ୍ୟରେ ମଧ୍ୟ କଟକଣା କରାଯିବ। ଡାକ୍ତରଙ୍କ ପରାମର୍ଶରେ ରୋଗୀମାନେ ଖାଦ୍ୟପେୟ କରିବା ଉଚିତ। ଯାହାଫଳରେ ଅତ୍ୟଧିକ ଭାବରେ କିଡନୀ ଖରାପ ହେବ ନାହିଁ । ଏହାସହ କିଡନୀକୁ ଡାଇଲିସିସ କରାଯାଇଥାଏ । ଜୀବନ ସାରା ପ୍ରତି ଦୁଇ ତିନି ଦିନ ଥର ଡାଇଲିସିସ କରିବାକୁ ପଡ଼ିଥାଏ ।କାହିଁକି ଖରାପ ହୋଇଥାଏ କିଡ଼ନୀ:”ଆମ ଶରୀରରେ ଦୁଇଟି କିଡ଼ନୀ ରହିଛି । ଜଣେ ବ୍ୟକ୍ତି ସୁସ୍ଥ ଜୀବନଯାପନ କରିବା ପାଇଁ ଗୋଟିଏ କିଡ଼ନୀ ଯଥେଷ୍ଟ । ତେଣୁ ବହୁତ ଲୋକ ଅଛନ୍ତି ଯେଉଁମାନଙ୍କର ଗୋଟିଏ କିଡ଼ନୀରେ ଜୀବନସାରା ବଞ୍ଚିପାରିବେ। ଏଥିରେ କୌଣସି ସମସ୍ୟା ହେବ ନାହିଁ । କିଡ଼ନୀ ଖରାପ ହେବାର ପ୍ରମୁଖ କାରଣ ହେଉଛି ଡାଇବେଟିସ । ଭାରତରେ ଯେଉଁମାନଙ୍କର କିଡ଼ନୀ ଖରାପ ହେଉଛି. ସେଥିରୁ କେବଳ ୬୦ ପ୍ରତିଶତ ଡାଇବେଟିସ ରୋଗୀ ଅଛନ୍ତି । ଦ୍ଵିତୀୟରେ ରକ୍ତ ଚାପ । ଯଦି ବ୍ଲଡ ପ୍ରେସର ପାଇଁ ଚିକିତ୍ସା କରୁନାହାନ୍ତି ତେଣୁ ଏହାର ପ୍ରବାହ କିଡ଼ନୀ ଉପରେ ପଡ଼ିଥାଏ । ଏହାସହ ଅତ୍ୟଧିକ ପେନକିଲର ସେବନ କଲେ କିଡନୀ ପ୍ରଭାବ ପଡିପାରେ । ମେଦ ବହୁଳତା ମଧ୍ୟ ଅନ୍ୟ ଏକ କାରଣ । ଯେଉଁମାନେ ବହୁତ ମୋଟା ଲୋକ ସେମାନଙ୍କ କିଡ଼ନୀ ଖରାପ ହେବାର ଆଶଙ୍କା ଅଧିକ ରହିଥାଏ । ଏପରିକି ଷ୍ଟୋନ ଜନିତ ରୋଗ, ଲମ୍ବା ସମୟ ଧରି ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ ।”ଏହି ରିପୋର୍ଟରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଗବେଷଣା, ଅଧ୍ୟୟନ, ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରାଯାଇଛି । ଏହି ପଦ୍ଧତି କିମ୍ବା ପ୍ରକ୍ରିୟା ଅନୁସରଣ କରିବା ପୂର୍ବରୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ଉଚିତ ଏବଂ ଆପଣଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ।