ଆଳୁ ଖାଇଲେ ବି ଆଉ ବଢ଼ିବନି ସୁଗାର ଲେଭଲ, ରିସର୍ଚ୍ଚରେ ହେଲା ବଡ଼ ଖୁଲାସା
ପ୍ରାୟ ପ୍ରତ୍ୟେକଙ୍କ ଘରେ ଆଳୁର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । କିଛି ଲୋକଙ୍କ ଆଳୁ ବେଶ ପସନ୍ଦର ପରିବା ହୋଇଥିବା ଆଉ କିଛି ଲୋକ ଏହା ଖାଇବାକୁ ଏଡ଼ାଇ ଦିଅନ୍ତି କାରଣ ସେମାନେ ଭାବନ୍ତି ଯେ ଆଳୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
ଆଳୁ ଖାଇଲେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହୋଇପାରେ ଏବଂ ହୃଦ୍ରୋଗ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଏପରି ସ୍ଥିତିରେ ଲୋକଙ୍କ କଥାରେ କେତେ ସତ୍ୟତା ରହିଛି ଆସନ୍ତୁ ଜାଣିବା ।
ଏହା ଉପରେ ଏବେ ଏକ ଗବେଷଣା କରାଯାଇଥିଲା । ଯେଉଁଥିରେ ଜଣାପଡିଛି ଯେ, ଯଦି ସଠିକ ପରିମାଣରେ ଆଳୁ ସେବନ କରାଯାଏ, ତେବେ ଏହା ଦ୍ୱାରା ହୃଦରୋଗ ଏବଂ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବାର ଆଶଙ୍କା ନାହିଁ ।
ଆଳୁ ଏମିତି ଏକ ପରିବା ଯାହା ପ୍ରତ୍ୟେକ ଋତୁରେ ଉପଲବ୍ଧ ଏବଂ ଏହା ବିନା ପ୍ରତ୍ୟେକ ବ୍ୟଞ୍ଜନ ଅସମ୍ପୂର୍ଣ୍ଣ ଭଳି ମନେ ହୁଏ । ଅନ୍ୟ ପନିପରିବା ତୁଳନାରେ ଆଳୁ ଶସ୍ତା ତଥାପି କିଛି ଲୋକ ବିଶ୍ୱାସ କରନ୍ତି ଯେ ଆଳୁ ଖାଇବା ଦ୍ୱାରା ହୃଦ୍ରୋଗ ହୋଇପାରେ ।
ଲୋକଙ୍କ ଏହି ବିଶ୍ୱାସ ପଛରେ କେତେ ସତ୍ୟ ଅଛି ତାହା ଜାଣିବା ପାଇଁ ଆମେରିକାର ବୋଷ୍ଟନ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହା ଉପରେ ଗବେଷଣା କରିଛନ୍ତି । ଏହି ଗବେଷଣା ପରେ ବୋଷ୍ଟନ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଲିନ୍ ଏଲ୍ କହିଛନ୍ତି ,” ଆଳୁ ଖାଇବା ଦ୍ୱାରା ରକ୍ତଚାପ ଏବଂ ରକ୍ତ ଶର୍କରା ସ୍ତର ବୃଦ୍ଧି ପାଏ ନାହିଁ । ଯେକୌଣସି ବ୍ୟକ୍ତି ନିସନ୍ଦେହରେ ଆଳୁ ଖାଇପାରିବେ ।” ଏହି ଗବେଷଣା ଜର୍ଣ୍ଣାଲ ଅଫ୍ ନ୍ୟୁଟ୍ରିସନାଲ ସାଇନ୍ସରେ ପ୍ରକାଶିତ ହୋଇଛି ।
ଆଳୁ ପୁଷ୍ଟିସାରରେ ଭରପୁର: ଏହି ଅଧ୍ୟୟନରୁ ଜଣାପଡିଛି ଯେ ଆଳୁରେ ଅନେକ ପୋଷକ ତତ୍ତ୍ୱ ରହିଛି,ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଆଳୁରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫାଇବର ପ୍ରଚୁର ପରିମାଣରେ ଥାଏ । ଏହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ହ୍ରାସ କରେ । ଅଧିକ ଆଳୁ ଖାଇବା ବି ବିପଦଜନକ ହୋଇପାରେ !
ପ୍ରକୃତରେ, ଆଳୁରେ ପ୍ରଚୁର ପରିମାଣରେ ପୋଟାସିୟମ ଥାଏ । ଏହାକୁ ଅତ୍ୟଧିକ ସେବନ କରିବା ଦ୍ୱାରା ଶରୀରରେ ପୋଟାସିୟମ୍ ସ୍ତର ବୃଦ୍ଧି ପାଏ, ଯାହା ହାଇପରକ୍ୟାଲେମିଆ ସୃଷ୍ଟି କରିପାରେ । ଏହା ନିଶ୍ୱାସ ନେବା, ଯନ୍ତ୍ରଣା ଏବଂ ବାନ୍ତି ଭଳି ସମସ୍ୟା ସୃଷ୍ଟି କରିପାରେ । ତେଣୁ ଏହାକୁ ଅତ୍ୟଧିକ ପରିମାଣରେ ସେବନ କରିବାରୁ ଦୂରେଇ ରୁହନ୍ତୁ ।
ଆଳୁ ଏକ ପନିପରିବା ଯାହା ଷ୍ଟାର୍ଚ ଏବଂ କାର୍ବୋହାଇଡ୍ରେଟରେ ଭରପୂର । ଅତ୍ୟଧିକ ଆଳୁ ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇପାରେ ।
ଭଜା ଆଳୁ ଖାଇବା ଦ୍ୱାରା କର୍କଟ ରୋଗର ଆଶଙ୍କା ବଢ଼ିଯାଏ । ଯେତେବେଳେ ଆଳୁକୁ ଡିପ୍ ଫ୍ରାଏ କରାଯାଏ, ସେତେବେଳେ ଏଥିରେ ଆକ୍ରିଲାମାଇଡ୍ ନାମକ ଏକ ରାସାୟନିକ ପଦାର୍ଥ ତିଆରି ହୁଏ, ଯାହା କର୍କଟ ରୋଗ ସୃଷ୍ଟି କରେ । ଆଳୁ ରାନ୍ଧିବାର କିଛି ପଦ୍ଧତି ଫଳରେ ଏଥିରେ ବିପଜ୍ଜନକ ଯୌଗିକ ସୃଷ୍ଟି ହୋଇପାରେ ।
ସୁସ୍ଥ ଖାଦ୍ୟ ଖାଇବା ନିହାତି ଆବଶ୍ୟକ: ଆଜିକାଲି ଆମର ଖାଦ୍ୟପେୟ ଅଭ୍ୟାସ ସମ୍ପୂର୍ଣ୍ଣ ବଦଳି ଯାଇଛି । କାର୍ଯ୍ୟ ବ୍ୟସ୍ତତା ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଅନେକ ଲୋକ ସନ୍ତୁଳିତ ଖାଦ୍ୟ ଗ୍ରହଣ କରୁନାହାଁନ୍ତି । ସେହି ସମୟରେ ଲୋକମାନେ ଅଧିକ ପ୍ରକ୍ରିୟାକୃତ ଜଙ୍କଫୁଡ୍ ଏବଂ ଫାଷ୍ଟଫୁଡ୍ ଖାଉଛନ୍ତି ।
ଏହା ବ୍ୟତୀତ ଲୋକମାନେ ଅତ୍ୟଧିକ ମିଠା, କେକ୍ ଏବଂ ଥଣ୍ଡା ପାନୀୟ ମଧ୍ୟ ସେବନ କରୁଛନ୍ତି । ଗବେଷକମାନେ ବିଶ୍ୱାସ କରନ୍ତି ଯେ ଦୀର୍ଘକାଳୀନ ଭାବରେ ଏସବୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଭଲ ଖାଦ୍ୟ ଅଭ୍ୟାସକୁ ଜୀବନଶୈଳୀର ଏକ ଅଂଶ କରିବାକୁ ପରାମର୍ଶ ଦିଆଯାଇଛି ।