ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଦନ୍ତା ଗ୍ରାମରେ ଜଣେ ଯୁବକଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ କାଲି ଅପରାହ୍ନ ସମୟରେ ହଠାତ୍ ଘଡ ଘଡି ସହ ବର୍ଷା ଆସିଥିଲା। ଏହି ସମୟରେ ଦନ୍ତା ଗ୍ରାମର ଜଣେ ଯୁବକ ମାନନ୍ତା ମୁଣ୍ଡାରୀ ଗାଈ ଚରାଉଥିବା ବେଳେ ହଠାତ ବଜ୍ରାଘାତ ମାରିବାରୁ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ତଳେ ଟଳି ପଡ଼ିଲେ।ସ୍ଥାନୀୟ ଗ୍ରାମବାସୀ ଏହାକୁ ଦେଖି ୧୦୮ ଆମ୍ବୁଲାନ୍ସ ଡାକିଥିଲେ କିନ୍ତୁ ରାସ୍ତା ଭଲ ନ ଥିବାରୁ ସେହି ସ୍ଥାନକୁ ଆମ୍ବୁଲାନ୍ସ ଯାଇ ପାରି ନ ଥିଲା। ଫଳରେ ଆମ୍ବୁଲାନ୍ସ କର୍ମଚାରୀ ତିନି କିଲୋମିଟର ଚାଲି ଚାଲି ଯାଇ ଘଟଣା ସ୍ଥଳରେ ପହଞ୍ଚି
ଥିଲେ। ସେଠାରୁ ଗାଇ ଚରାଳି ମାନନ୍ତା ମୁଣ୍ଡାରୀଙ୍କୁ ଗୁରୁତର ଅବସ୍ଥାରେ ଷ୍ଟ୍ରେଚରେ ବୋହି ଆଣିଥିଲେ। କିନ୍ତୁ ନାଳରେ ପାଣି ବଢିଥିବାରୁ ବହୁତ କଷ୍ଟରେ ପାରି କରିଥିଲେ। ଉକ୍ତ ସ୍ଥାନଟି ରାସ୍ତା ନ ଥିବାରୁ ତିନି କିଲୋମିଟର ଦୂରରୁ ଆମ୍ବୁଲାନ୍ସ କର୍ମଚାରୀ ଓ ଗ୍ରାମବାସୀଙ୍କ ସହଯୋଗରେ ବୋହି ଆଣିଥିଲେ । ଯୁବକ ମାନନ୍ତାଙ୍କୁ ଗୁରୁତର ଅବସ୍ଥାରେ ସରସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିଥିଲେ। ପରେ ସ୍ଥାନୀୟ ପୋଲିଶ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।
ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।