୭୦ବର୍ଷରୁ ଉର୍ଦ୍ଧ୍ବ ବ୍ୟବସାୟୀଙ୍କୁ ରେଳବାଇ ବିଭାଗର ନୋଟିସ୍ ଜାରି। ମାତ୍ର ୨ଦିନ ମଧ୍ୟରେ ଦୋକାନ ଖାଲି କରିବାକୁ ନୋଟିସ୍ ରେ ରହିଛି ଉଲ୍ଲେଖ। ଏଥିପାଇଁ ୩୦ରୁ ଅଧିକ ସ୍ଵୀକୃତିପ୍ରାପ୍ତ ଦୋକାନୀ ସେମାନଙ୍କ ପେଟପାଟଣା ପାଇଁ ୪ଦିନ ଧରି ବସିଛନ୍ତି ଶାନ୍ତିପୂର୍ଣ୍ଣ ଧାରଣାରେ। କିନ୍ତୁ,ଏମାନଙ୍କ ସହ ରେଳବାଇ ବିଭାଗ ପକ୍ଷରୁ କରାଯାଉନାହିଁ କୌଣସି ଆଲୋଚନା। ରେଳ ଷ୍ଟେସନର ବିକାଶ ପାଇଁ ଉଚ୍ଛେଦ କରିବାକୁ ରେଳବାଇ ବିଭାଗ ନିଜ ଜିଦ୍ ରେ ଅଟଳ ରହିଥିବା ବେଳେ ‘ପ୍ରଥମେ ଥଇଥାନ ପରେ ଉଚ୍ଛେଦ’ ଦାବି କରିଛନ୍ତି ଷ୍ଟେସନ ବଜାର ପୂଜା କମିଟିର କର୍ମକର୍ତ୍ତା। କମିଟି ସଭାପତି ପୁଣ୍ୟଶ୍ଳୋକ ଦାସ ଏବଂ ସମ୍ପାଦକ ତଥା ସ୍ଥାନୀୟ କର୍ପୋରେଟର ଶୁଭାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଜାରି ରହିଛି ଶାନ୍ତିପୂର୍ଣ୍ଣ ଧାରଣା। କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଜି ଧାରଣାସ୍ଥଳରେ ପହଞ୍ଚି ମଧ୍ୟ କମିଟି କର୍ମକର୍ତ୍ତାଙ୍କ ସହ ମିଶି ସମାନ ଦାବି ଆଣିଛନ୍ତି। ଥଇଥାନ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।