• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଘରକୁ ଡାକି ହତ୍ୟା

ByOdishri Khabar

Jul 20, 2025
Spread the love

ଘରକୁ ଡାକି ହତ୍ୟା
ଅଭିଯୁକ୍ତ ଥାନାରେ ଆତ୍ମ ସମର୍ପଣ :
ତାଲା ବନ୍ଦ ରୁଦ୍ଧ କୋଠରୀର ବସ୍ତା ଭିତରୁ ମୃତଦେହ ଜବତ ବକଲା ପୋଲିସ
ହତ୍ୟାକାରୀକୁ ହସ୍ତାନ୍ତର ଦାବୀରେ ଅଭିଯୁକ୍ତର ଘର ଭଙ୍ଗାଋଜା
ଦେବଗଡ,ଶୁକ୍ରବାର ରାତ୍ରୀରେ ଦେବଗଡ ଥାନା ଅଧୀନ ନୂଆଁ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଉକ୍ତ ଗ୍ରାମର ପଂଚାନନ ସୁହୁଳା (୫୫)ନାମକ ଜଣେ ବ୍ୟକ୍ତି ଉକ୍ତ ଗ୍ରାମର ରତନ ପ୍ରଧାନ(୫୦)ଙ୍କୁ ଘରକୁ ଡାକି ଏକ କଟୁରୀ ସାହାଯ୍ୟରେ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ରକ୍ତ ଲଗା ଥିବା କଟୁରୀ ସହ ଦେବଗଡ ଥାନାରେ ଆତ୍ମ ସମର୍ପଣ କରିଛି । ଅନ୍ୟପକ୍ଷରେ ଅଭିଯୁକ୍ତକୁ ହସ୍ତାନ୍ତର କରିବା ଦାବୀରେ ମୃତକଙ୍କ ସମ୍ପର୍କୀୟ ଓ ଉତ୍ୟକ୍ତ ଗ୍ରାମବାସୀ ମାନେ ଅଭିଯୁକ୍ତର ଘରକୁ ଭଙ୍ଗାଋଜା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ରାତ୍ରୀ ନୂଆଁଗାଁ ଗ୍ରାମର ରତନ ପ୍ରଧାନ ତାଙ୍କ ବନ୍ଧୁ ସୁନୀଲ ଭଞ୍ଜ ଓ ସ୍ୱପ୍ନେଶ୍ୱର ଦେହୁରୀଙ୍କ ସହିତ ବଲଣ୍ଡା ଗ୍ରାମରୁ ନିଜ ଘରକୁ ଫେରୁଥିବା ବେଳେ ରତନଙ୍କୁ ପଂଚାନନ ନିଜ ଘରକୁ ଡାକିଥିଲା । ଫଳରେ ରତନ ପଂଚାନନଙ୍କ ଘରକୁ ଯାଇଥିଲେ ଓ ସୁନୀଲ ଏବଂ ସ୍ୱପ୍ନେଶ୍ୱର ନିଜ ନିଜ ବାଟରେ ଚାଲିଯାଇଥିଲେ । ତେବେ ରାତ୍ରୀ ପ୍ରାୟ ୨ଟା୩୦ ମିନିଟ ସମୟରେ ପଂଚାନନ ଏକ ସାଇକେଲ ଯୋଗେ ଦେବଗଡ ଥାନାରେ ପଂଚିବାସହ ରକ୍ତଲଗା କଟୁରୀ ସହିତ ଆତ୍ମ ସମର୍ପଣ କରିଥିଲା । ଏହାପରେ ଦେବଗଡ ଥାନା ପୋଲିସ ଘଟଣା ସ୍ଥଳରେ ପଂଚିଥିବା ବେଳେ ଘରର କବାଟରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟୂଷରେ ଏକଥା ଜଣାପଡିବା ପରେ ସେଠାରେ ମୃତ ରତନଙ୍କ ସମ୍ପର୍କୀୟ ସମ୍ପର୍କୀୟାଙ୍କ ସମେତ ଆଖପାଖ ଅଂଚଳର ଶହଶହ ଲୋକ ରୁଣ୍ଡ ହୋଇଯାଇଥିଲେ । ସକାଳେ ରତନଙ୍କ ପୁଅ ତ୍ରିଲୋଚନ ପ୍ରଧାନ ବିଧିବଦ୍ଧ ଭାବେ ଏତଲା ଦେବାପରେ ପୋଲିସ ଏକ ହତ୍ୟା ମାମଲା ଋଜୁକରି ଘଟଣାର ତଦନ୍ତ ଚଲାଇବାସହ ଅଧିକ ତଦନ୍ତ ନିମନ୍ତେ ସାଇଂଟିଫିକ ଟିମର ସହାୟତା ଲୋଡିଥିଲା । ତେବେ ଦେବଗଡରେ ସାଇଂଟିଫିକ ଟିମ ନଥିବା ବେଳେ ଅନୁଗୁଳରୁ ଆସୁ ଥିବାରୁ ଏଥିରେ ବିଳମ୍ବତା ଦେଖାଦେଇଥିଲା । ଫଳରେ ମୃତ ରତନଙ୍କ ସମ୍ପର୍କୀୟ ଏବଂ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇବାସହ ହତ୍ୟାକାରୀ ପଂଚାନନଙ୍କୁ ହସ୍ତାନ୍ତର ଦାବୀରେ ବହୁ ପୁରୁଷ ଓ ମହିଳା ଠେଙ୍ଗା ବାଡିଧରି ପଂଚାନନଙ୍କ ଘରକୁ ଭଙ୍ଗାଋଜା କରିଥିଲେ । ସୂଚନା ପାଇ ଦେବଗଡ ଥାନା ଅଧିକାରୀ ସବ୍ୟଶାଚୀ ଶତପଥି ଓ ଏସଡିପିଓ ରମେଶ ଚନ୍ଦ୍ର ମହାନା ଅଧିକ ଫୋର୍ସ ସହିତ ସେଠାରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବାସହ ଆଇନ ହାତକୁ ନନେବାକୁ ଚେତାବନୀ ଦେବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । କିଛି ସମୟ ପରେ ସାଇଂଟିଫିକ ଟିମ ଅନୁଗୁଳରୁ ଆସି ଘଟଣା ସ୍ଥଲରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏହି ସମୟରେ ରତନଙ୍କ ମୃଣ୍ଡ ସମେତ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ଚିହ୍ନ ରହିଥିବା ଏବଂ ମୃତଦେହର ପ୍ରାୟ ଅର୍ଦ୍ଧେକ ଅଂଶକୁ ଏକ ପ୍ଲାଷ୍ଟିକ ବସ୍ତାରେ ଭର୍ତୀ କରାଯାଇଥିବା ଦେଖିବାକୁ ମିଳିଥିଲା । ସାଇଂଟିଫିକ ଟିକ ଫେରିଯିବା ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ସଂଧ୍ୟାରେ ଗାଁ ମଶାଣୀରେ ରତନଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଅଧିକ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ଓ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ଶ୍ରୀ ମହାନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *