ସ୍ମାର୍ଟ ପାର୍କ ପାଲଟିଲା ରଣକ୍ଷେତ୍ର।ଶରୀରରେ ଭାଙ୍ଗିଗଲା ପାଇପ୍ ଆଉ ବାଉଁଶ। ଗୁଣ୍ଡାଗିରିର ସବୁ ସୀମା ଟପିଗଲେ ହଷ୍ଟେଲ ଯୁବକ। ସଂଘବଦ୍ଧ ହେଲେ,ଆଉ ଅଧଘଣ୍ଟା କାଳ ଆକ୍ରମଣ କଲେ। ଯାହା ଏହି ଚିତ୍ର ହିଁ ବୟାନ କରୁଛି ଆକ୍ରମଣ ସମୟରେ କେତେ ଉତ୍ତ୍ୟକ୍ତ ଥିଲେ ହଷ୍ଟେଲର ଯୁବକ।
ସୂଚନା ମୁତାବକ,କଟକ ମହାନଗର ନିଗମ ୪୮ନଂ ୱାର୍ଡରେ ରହିଛି ଜଗତପୁର ସ୍ମାର୍ଟ ପାର୍କ। ପ୍ରତିଦିନ ଭଳି ଲୋକେ ମନୋରଞ୍ଜନ ପାଇଁ ଏହି ପାର୍କକୁ ଆସିଥାନ୍ତି। ପାର୍କକୁ ଲାଗି ରହିଛି ଭାରତୀୟ ଖେଳ ପ୍ରାଧିକରଣର ଜଳକ୍ରୀଡା ହଷ୍ଟେଲ। ହଠାତ୍, ହଷ୍ଟେଲର କେତେକ ଯୁବକ ପାର୍କ ମୁଖ୍ୟ ଦ୍ଵାର ପରେ ପ୍ରବେଶ କରିବା ବଦଳରେ ପାର୍କ ପ୍ରାଚେରୀ ଡେଇଁ ଭିତରକୁ ଆସିଥିଲେ। ଏହାକୁ ନେଇ ପାର୍କ ସୁରକ୍ଷା କର୍ମଚାରୀ ଏବଂ ମାଳି ବାରଣ କରିବାରୁ ହଷ୍ଟେଲ ଯୁବକ ମାନେ ସଂଘବଦ୍ଧ ହୋଇ ଗାଳିଗୁଲଜ କରିବାରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଥିରେ ହସ୍ତକ୍ଷେପ କରିଥିଲେ। କିନ୍ତୁ ହଷ୍ଟେଲ ଯୁବକ ମାନେ ଉତ୍ତ୍ୟକ୍ତ ହୋଇ ପାଇପ୍ ଏବଂ ବାଉଁଶ ସାହାର୍ଯ୍ୟରେ ଆକ୍ରମଣ କରି ଚାଲିଲେ। ଆକ୍ରମଣରେ ୬ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଜଗତପୁର ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ହଷ୍ଟେଲ ମଧ୍ୟରୁ ଆକ୍ରମଣକାରୀଙ୍କୁ ଥାନାକୁ ଉଠାଇ ଆଣିଥିଲା। ଅନ୍ୟପଟେ ଭଦ୍ରବ୍ୟକ୍ତିଙ୍କ ଦ୍ଵାରା ଘଟଣାର ଆପୋଷ ସମାଧାନ କରାଯାଇଥିବା ଥାନା ଅଧିକାରୀ ଅନିରୁଦ୍ଧ ନାୟକ ସୂଚନା ଦେଇଛନ୍ତି।
କଟକରୁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ,ଓଡିଶ୍ରୀ ଖବର