ଦିଲ୍ଲୀରେ ସରକାର ଗଢିବାକୁ ବିଜେପିର ଧାଁ ଦଉଡ। ଟପବ୍ରାସଙ୍କ ଘନ ଘନ ବୈଠକ। ତେବେ କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ସେନେଇ ଲାଗିରହିଛି ସସପେନ୍ସ। ପରଭେଶ ବର୍ମା, ବିଜେନ୍ଦ୍ର ଗୁପ୍ତା, ସତୀଶ ଉପାଧ୍ୟାୟ, ଆଶିଷ ସୁଦ ଓ ଜିତେନ୍ଦ୍ର ମହାଜନଙ୍କ ନାଁ ସାମ୍ନାକୁ ଆସୁଛି। ହେଲେ ଯାହା ସୂଚନା ମିଳୁଛି ଦିଲ୍ଲୀରେ ସରକାର ଶପଥ ନେବାକୁ ଆଉ ସପ୍ତାହେ ଲାଗିଯାଇପାରେ। ସେପଟେ ଆପ୍କୁ ଝଟକା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆତିଶୀ।ଦିଲ୍ଲୀରେ ସରକାର ଗଢିବ ବିଜେପି। ହେଲେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ସେନେଇ ଆକଳନ ଚାଲିଥିବା ବେଳେ ଦିଲ୍ଲୀ ସିଏମ ପଦରୁ ଇସ୍ତଫା ଦେଇଛନ୍ତି ଆତିଶୀ। ଦିଲ୍ଲୀ ନିର୍ବାଚନରେ ଆପ୍ର ପରାଜୟ ପରେ ପଦ ଛାଡିଛନ୍ତି ଆତିଶୀ। ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ଦେଇଛନ୍ତି। ସେପଟେ ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଆଳୋଚନା ହୋଇଛି। ବୈଠକରେ ଦିଲ୍ଲୀ ସରକାରର ରୂପରେଖ ଓ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପାଇଁ କିଚି ଦିନ ଲାଗିପାରେ। କାରଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରୁ ଫେରିବା ପରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ଜଣାପଡ଼ିଛି। ପିଏମ୍ ମୋଦି ଆସନ୍ତା ୧୨ ଓ ୧୩ରେ ଆମେରିକା ଗସ୍ତରେ ରହିବେ । ସେପଟେ ଦିଲ୍ଲୀ ବିଜେପି ମୁଖ୍ୟ କହିଛନ୍ତି, କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ବ ନେବେ ।ସେପଟେ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ଏବେ ଅନେକ ଚେହେରା। ସେମାନଙ୍କ ମଧ୍ୟରେ ଅଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପରାସ୍ତ କରିଥିବା ପରଭେଶ ବର୍ମା, ବିଧାନସଭାର ବିରୋଧୀ ଦଳ ନେତା ବିଜେନ୍ଦ୍ର ଗୁପ୍ତା, ବିଜେପିର ବଡ଼ ବ୍ରାହ୍ମଣ ଚେହେରା ସତୀଶ ଉପାଧ୍ୟାୟ, ବିଜେପିର ପଞ୍ଜାବୀ ଚେହେରା ଆଶୀଷ ସୁଦ ଓ ଆରଏସ୍ଏସ୍ ସହ ଜଡ଼ିତ ଥିବା ଜିତେନ୍ଦ୍ର ମହାଜନ। ସେପଟେ ଜଣକ ପରେ ଜଣେ ବିଜୟୀ ପ୍ରାର୍ଥୀ ରାଜଭବନ ଯାଇ ଉପରାଜ୍ୟପାଳଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀ ଆସନରୁ ବିଜୟୀ ହୋଇଥିବା ପରଭେଶ ବର୍ମା, ବିଜଓ୍ବାସନରୁ ବିଜୟୀ ହୋଇଥିବା କୈଳାସ ଗେହଲଟ ଓ ଗାନ୍ଧି ନଗରରୁ ବିଜୟୀ ହୋଇଥିବା ଅରବିନ୍ଦର ସିଂ ଲଭଲୀ ବିନୟ ସକସେନାଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ସୈଜନ୍ୟମୂଳକ ବୋଲି ବିଧାୟକମାନେ କହିଛନ୍ତି । ଶପଥ ଗ୍ରହଣ ଉତ୍ସବକୁ ବିଜେପି ଭବ୍ୟ କରିବା ନେଇ ଆୟୋଜନ କରୁଛି। ଶପଥ ଗ୍ରହଣ ଉତ୍ସବରେ ଏନ୍ଡିଏ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି । ୨୭ ବର୍ଷ ପରେ ଦିଲ୍ଲୀରେ ପୁଣି ସରକାର ଗଠନ କରିବାକୁ ଯାଉଛି ବିଜେପି।