ଗତ କିଛି ଦିନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ବଙ୍ଗୋପ ସାଗରରେ ବାତ୍ୟା ଆସୁଛି । ଏଥିରେ ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସଦ୍ୟତମ ପାଣିପାଗ ସୂଚନା ଦିଆଯାଇଛି । ଆଇଏମଡି ଅନୁଯାୟୀ, ଆଗାମୀ ୧୬୮ ଘଣ୍ଟାରେ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଶୂନ୍ୟ ଅଟେ ।ପାଣିପାଗ ବିଭାଗର ସାଇକ୍ଲୋନ ଟ୍ରାକର କେବଳ ଏହି ସୂଚନା ଦେଇଛନ୍ତି ଯେ, ବଙ୍ଗୋପ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ। ତେବେ ଏହି ଲଘୁଚାପ ଘୂର୍ଣ୍ଣିଝଡ଼ର ରୂପ ନେବ କି ନାହିଁ ସେ ବିଷୟରେ କୌଣସି ତଥ୍ୟ ଆଇଏମଡି ପକ୍ଷରୁ ଦିଆଯାଇ ନାହିଁ। ଆଇଏମଡି ମିଡିଆର ଗୋଟିଏ ବର୍ଗ ଉପରେ ଭୁଲ ସୂଚନା ପ୍ରଚାର କରିବାର ଅଭିଯୋଗ କରିଛି। ନିଜର ପ୍ରେସ ବିବୃତିରେ ଆଇଏମଡି ସ୍ପଷ୍ଟ କରିଛି ଯେ, ମେ ୧୩ରେ ଏଜେନ୍ସି ପକ୍ଷରୁ କେବଳ ଆଣ୍ଡାମାନ ସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନର ଉପସ୍ଥିତିର ସୂଚନା ଦିଆଯାଇଥିଲା। ଏଜେନ୍ସ କହିନାହିଁ ଯେ, ବାତ୍ୟା ଆସୁଛି ବୋଲି।ଗତକାଲି ଆଣ୍ଡମାନ ସାଗର ଉପରେ ସୃଷ୍ଟ ବାୟୁ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନଠୁ ୩.୧ କିଲୋମିଟର ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ସହିତ ମେ ୧୪ ତାରିଖରେ ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଉଚ୍ଚରେ ତାମିଲନାଡୁ ଉପକୂଳ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। କିନ୍ତୁ ଗଣମାଧ୍ୟମରେ ଖବର ପ୍ରସାରଣ କରାଗଲା ଯେ, ମେ ୨୩ରୁ ୨୮ ତାରିଖ ମଧ୍ୟରେ ଏକ ଗମ୍ଭୀର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇପାରେ। ସମ୍ଭବତଃ ଏହାର ନାମକରଣ ‘ଶକ୍ତି’ ହୋଇପାରେ। ଆଇଏମଡି ଏହି ସବୁ ଖବରକୁ ଖଣ୍ଡନ କରିଛି। ପାଣିପାଗ ବିଭାଗ କହିଛି ଯେ, ସାଇକ୍ଲୋନ ଓ ସାଇକ୍ଲୋନିକ ସର୍କୁଲେସନ ଉଭୟ ପାଣିପାଗ ବିଜ୍ଞାନ ଦୃଷ୍ଟିକୋଣରୁ ଭିନ୍ନ ଭିନ୍ନ ରହିଛି।