ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ଆହୁରି ବଢ଼ିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଟପିବ । ୧୨ ତାରିଖ ପରେ ଉତ୍ତର ଓଡ଼ିଶା ତାତିବ । ରବିବାର ବୌଦ୍ଧ ଓ ବଲାଙ୍ଗିର ତାପମାତ୍ରା ୩୮ ଡିଗ୍ରୀ ସେଲ୍ସିୟସ ଉପରେ ରହି ଥିବା ବେଳେ ୧୦ ସହରରେ ତାତି ୩୭ ଡିଗ୍ରୀ ସେଲସିୟସ୍ ପାର୍ କରିଛି । ବୌଦ୍ଧର ଦିନ ତାପମାତ୍ରା ସର୍ବାଧିକ ୩୮.୨ ଡିଗ୍ରୀ ରେକର୍ଡ ହୋଇଛି । ଶନିବାର ବୌଦ୍ଧରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଥିଲା । ରବିବାର ଏହା ପାଖାପାଖି ଦେଢ଼ ଡିଗ୍ରୀ ବଢ଼ିଛି । ବଲାଙ୍ଗିରରେ ୩୮.୧ଡିଗ୍ରୀ ରହିଛି । ଅନୁଗୁଳରେ ୩୭.୯, ଟିଟିଲାଗଡ଼ରେ ୩୭.୬, ଭଦ୍ରକ ଓ ଝାରସୁଗୁଡ଼ାରେ ୩୭.୫, ଯାଜପୁରରେ ୩୭.୨, ବାରିପଦା, ସୋନପୁର ଓ ଭବାନୀପାଟଣାରେ ୩୭ ଡିଗ୍ରୀ ରେକର୍ଡ ହୋଇଛି । କୃଷି ପାଣିପାଗ ବିଶାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏବେ ଉତ୍ତର ପଶ୍ଚିମ ଭାରତରୁ ରାଜ୍ୟକୁ ଗରମ ପବନ ଆସୁଛି। ଉତ୍ତର ପଶ୍ଚିମ ଭାରତରେ ବର୍ଷା ନ ହେବା ଯୋଗୁ ସେଠାରେ ଗରମ ଅନୁଭୂତ ହେଉଛି । ସେଠାରୁ ଆସୁଥିବା ଗରମ ପବନ ପ୍ରଭାବରେ ରାଜ୍ୟରେ ତାତି ଅଧିକ ରହୁଛି । ଏଥର ମାର୍ଚ୍ଚ ମାସରେ ଅଧିକ ଗରମ ରହିବ । ଆସନ୍ତା ଦୁଇ ସପ୍ତାହ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । ତେବେ ଏଥର ରାଜ୍ୟରେ ଗରମ ସ୍ୱାଭାବିକଠାରୁ କମ୍ ରହିବ ବୋଲି ସେ କହିଛନ୍ତି । ଏପ୍ରିଲ ଓ ଜୁନ୍ ମାସରେ ତାପମାତ୍ରା ସ୍ୱାଭାବିକ ରହିବ। ମେ ମାସରେ ତାତି ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବାର ସମ୍ଭାବନା ରହିଛି । ମଝିରେ ମଝିରେ ବର୍ଷା ହେବା ଯୋଗୁ ତାତି ବଢ଼ିବନି ବୋଲି ସେ କହିଛନ୍ତି ।