• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରାଜ୍ୟପାଳଙ୍କ ଭଦ୍ରକ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ

ByOdishri Khabar

Aug 23, 2025
Spread the love

ରାଜ୍ୟପାଳ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ
ବିଭିନ୍ନ ଯୋଜନାରେ ବ୍ୟାଙ୍କମାନେ ହିତାଧିକାରୀମାନଙ୍କୁ ଋଣ ପ୍ରଦାନ ସୁଗମ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

ଭଦ୍ରକ ତା.୨୦/୮/୨୦୨୫ ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଦ୍ୱିତୀୟ ଦିନରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଏବଂ ବିଭିନ୍ନ ଯୋଜନାରେ ବ୍ୟାଙ୍କମାନେ ହିତାଧିକାରୀମାନଙ୍କୁ ଋଣ ପ୍ରଦାନ ସୁଗମ କରିବା ଉପରେ ରାଜ୍ୟପାଳ ଗୁତୁତ୍ୱାରୋପ କରିଛନ୍ତି । ବୁଧବାର ପୂର୍ବାହ୍ନ ଆଜି ୦୯.୨୫ମି ସମୟରେ ରାଜ୍ୟପାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ରାଜ୍ୟପାଳ ସମୀକ୍ଷା କରିଥିଲେ । ସଦଭାବନା ସଭାଗୃହରେ ରାଜ୍ୟପାଳ ପହଞ୍ଚିଲାବେଳେ ସେଠାରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ମହାମହିମ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ ଦାସ, ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ, ଜିଲ୍ଲାପାଳ ଦିଲୀପ ରାଉତରାଏ, ଡି. ଆଇ.ଜି. ଡ. ସତ୍ୟଜିତ ନାୟକ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରରମ୍ଭରେ ଜିଲ୍ଲାପାଳ ଭଦ୍ରକ ଜିଲ୍ଲାର ଭୌଗଳିକ ସ୍ଥିତି ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶା ସରକାରୀ ସେବା ଆଇନ ଅନୁସାରେ ରାଜସ୍ୱ ସେବା ଯୋଗାଇ ଦେବାରେ ଓ ଦିବ୍ୟାଙ୍ଗଙ୍କ ପାଇଁ ପୁର୍ନବାସ ସେବାରେ ଭଦ୍ରକ ଜିଲ୍ଲା ସାରା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସହିତ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦିତ୍ୱୀୟ ସ୍ଥାନ ଅଧିକାର କରିଛି ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ସମୀକ୍ଷା ବୈଠକର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଡି. ଆଇ.ଜି. ଡ. ସତ୍ୟଜିତ ନାୟକ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଗୋଚାଲାଣ ଓ ଗୋହତ୍ୟା ରୋକିବାପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୨୦୨୫ ରେ ୫୭ ଟି ମକୋଦ୍ଦମା ରୁଜୁ ହୋଇଛି, ଏବଂ ସେହିପରି NDPS ଆଇନ ରେ ୧୯ଟି ମକୋଦ୍ଦମା ରୁଜୁ କରାଯାଇଅଛି । ଜିଲ୍ଲାରେ ନିଷେଧ ହୋଇଥିବା ଡ୍ରଗ୍ସ କାରବାର ବୃଦ୍ଧି ପାଇଥିବାରୁ ରାଜ୍ୟପାଳ ଚିନ୍ତା ପ୍ରକାଶ କରିଥିଲେ ଓ ନିଶା ନିବାରଣ ସଚେତନତା ଅଭିଯାନ ସ୍କୁଲ, କଲେଜ ଏବଂ ବିଭିନ୍ନ ଅନୁଷ୍ଠାନରେ ବ୍ୟାପକ ଭାବରେ ହାତକୁ ନେବାପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ଶିକ୍ଷା ବିଭାଗର ବିଭିନ୍ନ ଯୋଜନା ଯଥା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ପି.ଏମ.ଶ୍ରୀ ଯୋଜନା, ପି.ଏମ ପୋଷଣ, ମୂଖ୍ୟମନ୍ତ୍ରୀ ପୋଷଣ ଇତ୍ୟାଦି ଯୋଜନାକୁ କିପରି ଭାବରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଅଛି ତାହାର ସମୀକ୍ଷା କରିବାସହିତ ଶିକ୍ଷାର ମାନ ବଢାଇବାପାଇଁ ଶିକ୍ଷକମାନଙ୍କର ଦକ୍ଷତା ବିକାଶ କରିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଶିକ୍ଷା କ୍ଷେତ୍ରରେ ସାରା ଓଡିଶାରେ ଜିଲ୍ଲାର ମାନ୍ୟତା ବଢାଇବାପାଇଁ ଇ-ଶିକ୍ଷା କାର୍ଯ୍ୟକ୍ରମ, ସମସ୍ତ ବିଦ୍ୟାଳୟ କୁ ଇଣ୍ଟରନେଟ ସେବା ଯୋଗାଇବା, ଡ୍ରପଆଉଟ ଛାତ୍ର ସଂଖ୍ୟା କମାଇବା, ଖାଲିଥିବା ଶିକ୍ଷକ ପଦବୀ ପୂରଣ କରିବା, ବିଦ୍ୟୁତ ସଂଯୋଗୀକରଣ କରିବା, ନୂତନ ଗୃହ ନିର୍ମାଣ କରିବା ଏବଂ ଶ୍ରେଣୀଗୃହ କାର୍ଯ୍ୟକ୍ରମ ବଢାଇବା ପାଇଁ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ସମୟରେ ଜିଲ୍ଲାରେ ଡାକ୍ତରଙ୍କ ଅଭାବ ଏକ ମୁଖ୍ୟ ସମସ୍ୟା ବୋଲି ରାଜ୍ୟପାଳ ହୃଦୟଙ୍ଗମ କରିଥିଲେ । ନିଯୁକ୍ତି କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର କରିବାପାଇଁ ବିହିତ ପଦକ୍ଷେପ ନେବା ଉପରେ ରାଜ୍ୟପାଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନା ଯେପରିକି, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ସମୀକ୍ଷା କରିଥିଲେ । ଜିଲ୍ଲା ପରିଷଦର ସମୀକ୍ଷା ସମୟରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା ଇତ୍ୟାଦିରେ ଭଦ୍ରକ ଜିଲ୍ଲାର ଅଗ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବାପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଲ୍ଲାର ପାଖାପାଖି ୨୦ରୁ ୩୦ ପ୍ରତିଶତ ହିତାଧିକାରୀ ୬ ମାସ ଭିତରେ ଗୃହ ନିର୍ମାଣ କରି ପ୍ରୋତ୍ସାହନ ରାଶି ପାଇଥିବା ବିଷୟରେ ଅବଗତ ହୋଇ ରାଜ୍ୟପାଳ ସନ୍ତୋଷ ବ୍ୟକ୍ତ କରିଥିଲେ । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସମୀକ୍ଷା ସମୟରେ ଜଳ ଜୀବନ ମିଶନ ର କାର୍ଯ୍ୟକାରିତାରେ ପ୍ରତ୍ୟକ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ସୁ-ବନ୍ଦୋବସ୍ତ କରିବାରେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି ତାହାକୁ ପୂରଣ କରିବାପାଇଁ ସମସ୍ତେ ଆଗଭରହୋଇ କାର୍ଯ୍ୟକରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଭଦ୍ରକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୧ ପ୍ରତିଶତ ଘରକୁ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯାଉଅଛି । ୭୪ଟି ସୋଲାର ପ୍ରକଳ୍ପ ରୁ ୧୯ଗୋଟି ସରିଥିବାବେଳେ ଆଉ ୫୫ଟି ର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଯାହାକୁ ଏକମାସ ଭିତରେ ସଂପୂର୍ଣ୍ଣ କରିବାପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୃଷି ବିଭାଗର ବିଭିନ୍ନ ଯୋଜନା ଯଥା ଫ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସି.ଏମ କିଶାନ, ପି.ଏମ. କିଶାନ, କୃଷି ବିଦ୍ୟାନିଧି ସ୍କଲାରସିପ, ଶ୍ରୀ ଅନ୍ନ ଅଭିଯାନ, କୃଷି ସମୃଦ୍ଧି, ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଇତ୍ୟାଦି ର ସମୀକ୍ଷା କରାଯାଇଥିଲା । ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ସଠିକ ସମୟରେ ବ୍ୟାଙ୍କ ଋଣ ପ୍ରଦାନ କରିବାରେ ସକ୍ରିୟ ସହଯୋଗ ପାଇଁ ଲିଡ୍ ବ୍ୟାଙ୍କ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଖାଲିପଡିଥିବା ବିଭିନ୍ନ ପଦ ପଦବୀ ପୂରଣ ପାଇଁ ସରକାରଙ୍କ ସହ ଆଲୋଚନା କରାଯିବବୋଲି ରାଜ୍ୟପାଳ କହିଥିଲେ । ସେହିପରି ଉଦ୍ୟାନକୃଷି ବିଭାଗର ସମୀକ୍ଷାରେ ରାଜ୍ୟ ଓ କେନ୍ଦ୍ର ର ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିନଚାଇ ଯୋଜନାକୁ କାର୍ଯ୍ୟକାରୀ କରି ଜିଲ୍ଲା ସାରା ଓଡିଶାରେ ଛତୁ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ରହିଛି ବୋଲି ଜାଣି ସନ୍ତୋଷ ବ୍ୟକ୍ତ କଲେ । ମତ୍ସ୍ୟ ଓ ପ୍ରାଣୀଧନ ବିଭାଗର ବିଭିନ୍ନ ଯୋଜନା ଯଥା ମତ୍ସ୍ୟ ପୋଖରୀ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ଇତ୍ୟାଦିର ସମୀକ୍ଷା କରିବା ସମୟରେ ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ଓ ମତ୍ସ୍ୟ ପୋଖରୀ ଖନନ ର ଅଗ୍ରଗତିରେ ଉନ୍ନତି ଆଣିବାପାଇଁ ପରାମର୍ଶ ଦେଇଥିଲେ । ଏଥି ପାଇଁ ଆବଶ୍ୟକୀୟ ଜମି ପ୍ରଦାନ କରିବାଦିଗରେ ବିହିତ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଧାନ ଚାଷ ଠାରୁ ମତ୍ସ୍ୟ ଚାଷ କିପରି ଅଧିକ ଲାଭଦାୟକ ସେ ବାବଦରେ ଚାଷୀମାନଙ୍କୁ ତାଲିମ ଶିବିର ଆୟୋଜନକରି ପ୍ରଶିକ୍ଷଣ ଦେବା ସହିତ ମତ୍ସ୍ୟ ଉତ୍ପାଦନର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟୁତ ବିଭାଗର ସମୀକ୍ଷା ସମୟରେ ୪୮୧ଜଣ ଆବେଦନ କରିଥିବା ବ୍ୟକ୍ତି ଏଯାବତ୍ ବିଦ୍ୟୁତ ସଂଯୋଗୀକରଣ ପାଇନଥିବାରୁ ସେମାନଙ୍କୁ ସେପ୍ଟେମ୍ବର ୧୫ ସୁଦ୍ଧା ସଂଯୋଗୀକରଣ କରିବାପାଇଁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେବା ସହିତ ବିଭାଗର ଅନ୍ୟାନ୍ୟ କାର୍ଯ୍ୟାବଳୀ ସମୀକ୍ଷା କରିଥିଲେ । ସରକାରଙ୍କର ପି.ଏମ. ସୂର୍ଯ୍ୟଘର ଯୋଜନାରେ ରୁଫ ଟପ ସୋଲାର ଅଧିକରୁ ଅଧିକ ଯୋଗାଇଦେବା ପାଇଁ ପ୍ରୟାସ କରିବା ସହିତ ଉପଭୋକ୍ତାମାନେ କିପରିଭାବରେ ଅଳ୍ପ ସମୟରେ ବ୍ୟାଙ୍କରୁ ଋଣ ଆଣିପାରିବେ ସେ ବିଷୟରେ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ ।
ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ବ୍ୟାଙ୍କର କର୍ମକର୍ତ୍ତାଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ସରକରାଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କିପରି ସହଜ ଉପାୟରେ ଋଣ ପ୍ରଦାନ କରିହେବ ସେ ବିଷୟରେ ପରାମର୍ଶ ଦେଇଥିଲେ । ପି.ଏମ. ସ୍ୱନିଧି ଯୋଜନାରେ ଆଶାନୁରୂପକ ଫଳ ପ୍ରଦାନ କରାଯାଇନାହିଁ, କେବଳ ଯେଉଁମାନେ ଜନ ସମର୍ଥ ପୋର୍ଟାଲ ରେ ଆବେଦନ କରିଛନ୍ତି ସେହିମାନଙ୍କୁ ପ୍ରଦାନପାଇଁ ପ୍ରୟାସ କରାଯାଇଅଛି । ଏଥିରେ ମୁଖ୍ୟତଃ ଗରିବ ଉଠାଦୋକାନୀମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦେବାପାଇଁ ପ୍ରାବଧାନ ଅଛି । ତେଣୁ ବ୍ୟାଙ୍କମାନେ ସ୍ୱତଃପ୍ରବୃତଭାବେ ସର୍ଭେ କରି ପ୍ରକୃତ ଲୋକ ଚିହ୍ନଟ କରିବା ସହିତ ଯେଉଁମାନେ ପୌରପାଳିକା କିମ୍ବା ସ୍ଥାନୀୟ ପ୍ରଶାସନ ପାଖରୁ ପରିଚୟପତ୍ର ହାସଲ କରିଥିବେ ସେହି ଆଧାରରେ ସେମାନଙ୍କୁ ଋଣ ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପି.ଏମ. ସୂର୍ଯ୍ୟଘର ଯାହାକି ଓଡିଶାର ଏକ ଉତ୍ତମ ଯୋଜନା ତାହାକୁ କାର୍ଯ୍ୟକାରୀ କରିବାରେ ବ୍ୟାଙ୍କମାନଙ୍କର ଭୂମିକା ସନ୍ତୋଷଜନକ ହୋଇନଥିବାରୁ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଥିଲେ । ଲିଡ ବ୍ୟାଙ୍କ ମ୍ୟାନେଜର ଏହାକୁ ସୁନିଶ୍ଚିତ କରାଇବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜାବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା, ଅଟଳ ପେନସନ୍ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାଗୁଡିକୁ ଲୋକାଭିମୁଖୀ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମୁଦ୍ରା ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀମାନଙ୍କ ସହିତ ରାଜ୍ୟପାଳ ଆଲୋଚନା କରିଥିଲେ ।
ଭଦ୍ରକ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବାରେ ଜିଲ୍ଲାପାଳଙ୍କ ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ (ରାଜସ୍ୱ), ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ (ସାଧାରଣ), ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତି, ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବିଭିନ୍ନ ବ୍ୟାଙ୍କର ପରିଚାଳକମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *