୨୮ରେ ବାତ୍ୟାର ରୂପ ନେବ ଲଘୁଚାପ, ଓଡ଼ିଶାରେ ମାଡ ହେବ !
୨୬ ତାରିଖ ବେଳକୁ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ, ଆଉ ଏହାକୁ ଘନୀଭୂତ କରିବା ପାଇଁ ପରିବେଶ ଅନୁକୂଳ ରହୁଥିବାରୁ ଏହା ୨୯ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ।ଏଇ ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ବଡ଼ ଧରଣର ହଲଚଲ୍ ଦେଖିବାକୁ ମିଳିପାରେ । ମେ’ ୨୯ ତାରିଖରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ସମ୍ଭାବନା ଥିବା କିଛି ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରୁଛନ୍ତି । ଯାହାକୁ ନେଇ ଏବେ ନାନା ଆଲୋଚନା ଆରମ୍ଭ ହୋଇଯାଇଛି ।ଆକଳନ ଅନୁଯାୟୀ, ୨୬ ତାରିଖ ବେଳକୁ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ, ଆଉ ଏହାକୁ ଘନୀଭୂତ କରିବା ପାଇଁ ପରିବେଶ ଅନୁକୂଳ ରହୁଥିବାରୁ ଏହା ୨୯ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ । କିନ୍ତୁ ଏସବୁ ଆକଳନ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ ।ଭାରତୀୟ ପାଣିପାଗ ବିଭାଗର ଏହି ସାଟେଲାଇଟ୍ ଚିତ୍ର ବୟାନ କରୁଛି ଯେ ବଙ୍ଗୋପ ସାଗରରେ ଆଗକୁ ଏକ ହଲଚଲ ହେବାକୁ ଯାଉଛି ଏଇ ମାସ ଶେଷ ଆଡକୁ ଏହି ହଲଚଲର ସମ୍ଭାବନା ରହିଛି ।ପାଣିପାଗ ବିଜ୍ଞାନୀ ଓ ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ଗୁଡ଼ିକର ଆକଳନ ଅନୁଯାୟୀ ଆସନ୍ତା ୨୬ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି। କିନ୍ତୁ ବଡ଼କଥା ହେଉଛି, ଏହି ସମୟରେ ପୂର୍ବ ବଙ୍ଗୋପ ସାଗରରେ ପରିବେଶ ଅନୁକୂଳ ରହିଛି, ଯାହା ଲଘୁଚାପକୁ ଆଗକୁ ବଢ଼ିବାରେ ସହାୟକ ହେବ । ଅର୍ଥାତ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ମୌସୁମୀ ଆସିବା ସମୟରେ ଲଘୁଚାପ ସୃଷ୍ଟି ହେବା ଏକ ସ୍ଵାଭାବିକ ପ୍ରକ୍ରିୟା। ତେବେ ଏହା ଆଗକୁ କେତେ ଶକ୍ତିଶାଳୀ ହେବ କିମ୍ବା ଘନୀଭୂତ ହେବ ତାହା ଆକଳନ କରିବା ସହଜ ନୁହେଁ।ଅନେକ ସମୟରେ ଏଭଳି ଲଘୁଚାପ ମୌସୁମୀକୁ ଅଧିକ ସକ୍ରିୟ କରି ଆଗକୁ ଅଗ୍ରସର କରିବାରେ ସହାୟକ ହୁଏ । ଯାହା ରାଜ୍ୟକୁ ଭଲ ବର୍ଷା ଆଣିପାରେ।ପାଣିପାଗକୁ ନେଇ ଆକଳନ ବୈଜ୍ଞାନିକଙ୍କ ପାଇଁ ମଧ୍ୟ ଅନେକ ସମୟରେ ଆହ୍ବାନ ସୃଷ୍ଟି କରିଥାଏ । କିଛି ମଡେଲ ଆକଳନ କରୁଛନ୍ତି ଯେ ଆସନ୍ତା ୨୬ରେ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହେବ ଏବଂ ୨୮ ତାରିଖ ବେଳକୁ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ଯଦି ଏହା ସାମୁଦ୍ରିକ ଝଡ଼ର ରୂପ ନିଏ, ତେବେ ଏହା ପ୍ରଥମେ ଉତ୍ତର-ପୂର୍ବ ଓ ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ । ଯଦି ଏହି ଗତିପଥ ଠିକ ହୁଏ, ତେବେ ମେ ୨୯ ତାରିଖରେ ଏହା ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।ଅନ୍ତର୍ଜାତୀୟ ମଡେଲ GFS ଏବଂ ECMWF ଆକଳନ କରୁଛନ୍ତି ଯେ ଏହି ସାମୁଦ୍ରିକ ଝଡ଼ ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ମଝିରେ କେଉଁଠି ମାଡ଼ ହୋଇପାରେ ।ତେବେ ଏହି ଲଘୁଚାପ କଣ ରୂପ ନେବ କିମ୍ବା କିଭଳି ଘନୀଭୂତ ହେବ, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଭାରତୀୟ ପାଣିପାଗ ବିଭାଗ-IMD ଏ ସଂପର୍କରେ କୌଣସି ଆକଳନ ମଧ୍ୟ କରିନାହିଁ ।