ଟାଟା କମ୍ପାନୀ ବିରୋଧରେ ବିଦ୍ୟୁତ୍ ଉପଭୋକ୍ତା ମାରଣ ନୀତି ଅଭିଯୋଗ ଆଣିଲା କଟକ-ଚୌଦ୍ଵାର ବିକାଶ ପରିଷଦ ସଂଗଠନ। ଦୈନନ୍ଦିନ ଜୀବନରେ ବିଦ୍ୟୁତ୍ ଏକ ଅପରିହାର୍ଯ୍ୟ ସାମଗ୍ରୀ ହୋଇଥିବା ବେଳେ ବିଭିନ୍ନ ଆଳ ଦେଖାଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ କରୁଛି ଟାଟା କମ୍ପାନୀ। ପୂର୍ବରୁ ଉପଭୋକ୍ତାଙ୍କ ଘରେ ଲାଗିଥିବା ଭିଜନ୍ ଟେକ୍ ମିଟର ହେବ ଅଦରକାରୀ। ଏଣିକି ପ୍ରତି ଘରେ ବ୍ୟବହାର ହେବାକୁ ଯାଉଛି ସ୍ମାର୍ଟ ମିଟର ଅର୍ଥାତ୍ ପ୍ରିପେଡ୍ ମିଟର। ଏଥିପାଇଁ ଉପଭୋକ୍ତାଙ୍କୁ ପ୍ରାୟ ୭ହଜାର ଟଙ୍କା ଦେୟ ଲାଗିପାରେ। ଯାହା ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଏକ ଶକ୍ତ ପ୍ରହାର କହିଲେ ଅତ୍ୟୁକ୍ତି ହେବ ନାହିଁ। ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ଏଭଳି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଯାଉଛି ଟାଟା କମ୍ପାନୀ। ଏହି ପ୍ରିପେଡ୍ ମିଟରକୁ ବନ୍ଦ କରିବା ଉଦ୍ଦେଶ୍ୟରେ କଟକ-ଚୌଦ୍ଵାର ବିକାଶ ପରିଷଦ,ସଂଗଠନ ପକ୍ଷରୁ ଜଗତପୁର ସ୍ଥିତ TPCODL ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଂଗଠକ ମାନସ କୁମାର ପରିଡାଙ୍କ ଡାକରା କ୍ରମେ ବିଜେଡି,କଂଗ୍ରେସ,ବାମପନ୍ଥୀ ଦଳ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଅନୁଷ୍ଠିତ ସଭାରେ ସାମିଲ୍ ହୋଇ ଟାଟା କମ୍ପାନୀ ବିରୋଧରେ ନାରାବାଜି ଦେଇଥିଲେ। ପ୍ରିପେଡ୍ ମିଟର ପ୍ରଚଳନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ଯଦି ଏହାକୁ କର୍ଣ୍ଣପାତ ନ କରିବେ,ଆଗାମୀ ଦିନରେ ହଜାର ହଜାର ଉପଭୋକ୍ତା ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।