ଆଜି କାଲି ସମୟରେ ଛୋଟ ପିଲା ଠାରୁ ଆରମ୍ଭ କରି ପ୍ରାୟ ସମସ୍ତେ ମୋବାଇଲ ପ୍ରତି ବେଶ ଆଶକ୍ତି ଭାବ ରହିଛି । ପୁର ଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଏହି ମୋବାଇଲକୁ ଦିନେ ନ ଦେଖିଲେ ଏକଦମ ପାଗଳ ଭଳି ହେଉଛନ୍ତି । ହେଲେ ଏହି ଫୋନ ଯେ କେତେ ପରିମାଣରେ କ୍ଷତି କରାଇବ ତାହା ସମସ୍ତଙ୍କୁ ଅଜଣା । ଖାଲି ଯେ ମାନସିକ ସ୍ତରରେ ନୁହେଁ ବରଂ ଶାରିରିକ ସ୍ତରରେ ମଧ୍ୟ ଅନେକ କ୍ଷତି କରାଇବ । ତେବେ ଏବେ କା ସମୟରେ ସମସ୍ତେ ରିଲ ଦେଖିବାକୁ ଆଉ କରିବାକୁ ବେଶ ଆଗ୍ରହ ପ୍ରକାଶ କରୁଥିବା ବେଳେ ଏହି ରିଲ ଯେ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ହାନିକାରିକ । ହଁ ଦର୍ଶକ ବନ୍ଧୁ ଆଜିକାଲି ସାମାଜିକ ଗଣମାଧ୍ୟମରେ ‘ରିଲ୍’ ବା କ୍ଷୁଦ୍ର ଭିଡିଓ ଦେଖିବା ସବୁ ବୟସର ଲୋକଙ୍କ ପାଇଁ ଏକ ମନୋରଞ୍ଜନ ସାମଗ୍ରୀ ପାଲଟିଛି। ପ୍ରଥମେ ପ୍ରଥମେ ସେସବୁକୁ କାଁ ଭାଁ ଦେଖୁଥିବା ବ୍ୟକ୍ତି ଶେଷରେ ତାହାକୁ ନିଶାରେ ପରିଣତ କରିଥାଏ। ସେଇ ବର୍ଗର ଲୋକମାନେ ଶୋଇବା ସମୟରେ ‘ରିଲ୍’ ଦେଖିବା ଏବଂ ସେମାନଙ୍କର ରକ୍ତଚାପ ଭିତରେ ଏକ ନିବିଡ଼ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ତେବେ ଏକ ବିଶେଷ ତଥ୍ୟ ଅନୁଯାୟୀ, ଚୀନ୍ରେ ମୋବାଇଲ୍ ଫୋନ୍ରେ ‘ରିଲ୍’ ଦେଖୁଥିବା ୪,୩୧୮ ଜଣ ମଧ୍ୟ-ବୟସ୍କ ଓ ଯୁବକଙ୍କୁ ସାମିଲ କରି ସେମାନଙ୍କର ରକ୍ତଚାପ ଅନୁଧ୍ୟାନ କରାଯାଇଥିଲା। ଦେଖାଯାଇଥିଲା, ଯିଏ ଯେତେ ଅଧିକ ସମୟ ‘ରିଲ୍’ ଦେଖୁଛି, ସିଏ ସେତେ ଅଧିକ ଉଚ୍ଚ ରକ୍ତଚାପର ଶିକାର ହୋଇଛି। ପାରମ୍ପରିକ ଭାବେ ଟିଭି ଦେଖିବା ବା କମ୍ପ୍ୟୁଟର ବ୍ୟବହାର କରିବା ଅଥବା ଭିଡିଓ ଗେମ୍ ଖେଳିବା ଅପେକ୍ଷା ଶୋଇବା ସମୟରେ ମୋବାଇଲ୍ରେ ‘ରିଲ୍’ ଦେଖିବାର ନକାରାତ୍ମକ ପ୍ରଭାବ ଅଧିକ ବୋଲି ଜଣାପଡ଼ିଛି। କାରଣ ଶୋଇବା ପୂର୍ବରୁ ମୋବାଇଲ୍ ପରଦାରେ ଦୃଷ୍ଟି ନିକ୍ଷେପ କରିବା ଦ୍ବାରା ଶରୀରରେ ‘ସିମ୍ପାଥେଟିକ୍’ ଉତ୍ତେଜନା ସୃଷ୍ଟି ହୋଇଥାଏ। ଅର୍ଥାତ୍ ତାହା ‘ସିମ୍ପାଥେଟିକ୍’ ସ୍ନାୟବିକ କ୍ରିୟାକୁ ସକ୍ରିୟ କରିଥାଏ, ଯାହା ଶରୀରର ‘ଫାଇଟ୍-ଅର୍-ଫ୍ଲାଇଟ୍’ ପ୍ରତିକ୍ରିୟାକୁ ସଜାଗ କରିଥାଏ। ଏହା ପରୋକ୍ଷରେ ରକ୍ତଚାପ ବଢ଼ିବାର କାରଣ ସାଜିଥାଏ। ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ‘ରିଲ୍’ରେ ମନୋନିବେଶ କରିବା ଦ୍ବାରା ଜଣକର ମୂଲ୍ୟବାନ ସମୟ ତ ଅପଚୟ ହେଉଛି, ତାହା ସହିତ ନିଜ ସ୍ବାସ୍ଥ୍ୟ ପାଇଁ ବିପଦକୁ ମଧ୍ୟ ଆମନ୍ତ୍ରଣ କରାଯାଉଛି। ଶରୀରର ବର୍ଦ୍ଧିତ ରକ୍ତଚାପ କମାଇବା ପାଇଁ କିମ୍ବା ରକ୍ତଚାପକୁ ସ୍ବାଭାବିକ ରଖିବା ପାଇଁ ସୁସ୍ଥ ଜୀବନଶୈଳୀ ଆପଣେଇବା ସହିତ ଶୋଇବା ସମୟରେ ‘ରିଲ୍’ ଦେଖାରୁ ନିବୃତ୍ତ ରହିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି।