ଲକ୍ଷ୍ମଣପୁର,ଲକ୍ଷ୍ମୀ ନାରାୟଣ ବିହାର ବାସିନ୍ଦାଙ୍କ ସହଯୋଗରେ ଶ୍ରୀ ଶ୍ରୀ ଲକ୍ଷ୍ମଣେଶ୍ୱର ମହାଦେବ ଏବଂ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କ ନୂତନ ମନ୍ଦିର ସହିତ ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ସମାପନ ହୋଇଛି। ପ୍ରଥମ ଦିବସରେ ମହାନଦୀ-ବିରୂପା ନଦୀର ସଙ୍ଗମ ସ୍ଥଳରୁ ଶହଶହ ଶ୍ରଦ୍ଧାଳୁଙ୍କ ଦ୍ଵାରା ଜଳପୂର୍ଣ୍ଣ କଳସ ଅଣାଯିବା ପରେ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା। ମୁଖ୍ୟ ପୂଜକ ଭାବେ ପଣ୍ଡିତ ସନ୍ତୋଷ ମହାପାତ୍ରଙ୍କ ସହ ୬ଜଣ ବେଦଜ୍ଞ ବ୍ରାହ୍ମଣ ଯଜ୍ଞ କାର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତା ଭାବେ ସୁବାଷ ଚନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ରଶ୍ମିତା ସାହୁ ସଂକଳ୍ପ ନେଇଥିଲେ। ଜଣାଶୁଣା ପ୍ରବଚକ ପଣ୍ଡିତ ତପନ କୁମାର ହୋତା ଏବଂ ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟିଙ୍କ ପ୍ରବଚନ ଶୁଣିବା ପାଇଁ ଭକ୍ତ,ଶ୍ରଦ୍ଧାଳୁ ଭିଡ ଜମାଇଥିଲେ। ମହାଯଜ୍ଞ ପୂର୍ଣ୍ଣାହୁତି ଉପଲକ୍ଷେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଚୌଦ୍ଵାର-କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ,ପୂର୍ବତନ ସାଂସଦ ଶଶୀଭୂଷଣ ବେହେରା,ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନୁଷ୍ଠିତ ଉତ୍ସବରେ ଭଜନ,ସଂକୀର୍ତ୍ତନ,ପ୍ରବଚନ ଏବଂ ମନ୍ତ୍ରଧ୍ଵନି ପାଇଁ ୪ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।