ଜଗତପୁର ମହାନଦୀ କୂଳ ନିମପୁର ସ୍ଥିତ ଶୂନ୍ୟ ବ୍ରହ୍ମ ଆଶ୍ରମ ପରିସରରେ ଉଦଘାଟିତ ହୋଇଛି ଭାଗବତ ସଂସ୍ଥାପନ ସମିତି,ଓଡିଶାର ୧୭ତମ ବାର୍ଷିକ ଉତ୍ସବ। ସମିତି ଅଧ୍ୟକ୍ଷ ଶ୍ରୀମଦ ବାୟା ବାବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥିଭାବେ ରାଜ୍ୟ ଖଣି,ଇସ୍ପାତ,ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ରତିକାନ୍ତ ମହାପାତ୍ର,ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଚୌଦ୍ଵାର-କଟକର ବରିଷ୍ଠ ନେତା ନୟନ କିଶୋର ମହାନ୍ତି,ଗୋବର୍ଦ୍ଧନ ପୀଠର ପଣ୍ଡିତ ମାତୃ ପ୍ରସାଦ ମିଶ୍ର,ସ୍ୱାମୀ ସଚ୍ଚିଦାନନ୍ଦ ଦାସ ମହାରାଜ, ସ୍ୱାମୀ ଗଦାଧର ଦାସ ମହାରାଜ,ଚାରଣ କାଶୀନାଥ ଦାସ,ଶୂନ୍ୟବ୍ରହ୍ମ ଆଶ୍ରମର ସଭାପତି ଭିକାରୀ ଚରଣ ସାହୁ,ଉପସଭାପତି ରବିନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ଭାଗବତର ମାହାତ୍ମ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନ ପକ୍ଷରୁ ସଂସଦରତ୍ନ ଭର୍ତ୍ତୃହରି ମହତାବଙ୍କୁ ‘ଭାଗବତ ପୁତ୍ର ସମ୍ମାନ’ ଏବଂ ହାବିଲଦାର କନେଷ୍ଟବଳ ଓ ସିପାହୀ ମହାସଂଘର ରାଜ୍ୟ ସଭାପତି ଅନିଲ କୁମାର ଷଣ୍ଢଙ୍କୁ ‘ଭାଗବତ ଚେତନା ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା।ଅନୁଷ୍ଠାନର ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଶ୍ୱଜିତ ସୂର୍ଯ୍ୟବଂଶୀଙ୍କ ଦ୍ଵାରା ସଭା ମଞ୍ଚ ପରିଚାଳନା କରାଯାଇଥିଲା। ପ୍ରାତଃ ସମୟରେ ସୂର୍ଯ୍ୟ ପୂଜା, ଗୋ-ପୂଜା,କଳସ ଯାତ୍ରା,ନଗର କୀର୍ତ୍ତନ ସହ ମହାନଦୀରେ ପିତୃ ପୁରୁଷ ପୂଜନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ କୁନି ପ୍ରବଚକ କେଶବ ଦାସ ଦ୍ଵିତୀକୃଷ୍ଣଙ୍କ ପ୍ରବଚନ ଶୀତ ସତ୍ତ୍ୱେ ଭକ୍ତ,ଶ୍ରଦ୍ଧାଳୁଙ୍କୁ ବାନ୍ଧି ରଖିଥିଲା। ଆଗାମୀ ୧୩ତାରିଖ ପର୍ଯ୍ୟନ୍ତ ଆଶ୍ରମ ପରିସରରେ ଉତ୍ସବ ପାଳନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।