କଟକ ଜିଲ୍ଲା ଚୌଦ୍ଵାର ମଙ୍ଗରାଜପୁର ପଞ୍ଚାୟତ ସ୍ଥିତ ଡାଳିଯୋଡା ସଂରକ୍ଷିତ ଜଙ୍ଗଲରେ ଥିବା ମା’ ଡମଡମଣୀ ଓ ବନଦୁର୍ଗାଙ୍କ ପୀଠରେ ମକର ସଂକ୍ରାନ୍ତି ଉପଲକ୍ଷେ ମହା ସମାରୋହରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ମକର ମେଳା। ଏଥିସହ ୨ଦିନ ଧରି ଯଜ୍ଞ କାର୍ଯ୍ୟର ଆୟୋଜନ ହୋଇ ପୀଠ ପରିସରଟି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଥିଲା। ମା’ଙ୍କ ଜନ୍ମ ବାର୍ଷିକ ଉତ୍ସବକୁ ନେଇ ପ୍ରତିବର୍ଷ ଏହି ପୀଠରେ ପାଳିତ ହୋଇଥାଏ ମକର ଯାତ୍ରା। ରାତି ୩ଟା ବେଳେ ମା’ଙ୍କ ପହଡ ଖୋଲାଯାଇ ନିତିକାନ୍ତି ଅନୁଯାୟୀ ମକର ଚାଉଳ ଲାଗି କରାଯିବା ପରେ ଆରମ୍ଭ ହୋଇଥିଲା ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା। ଅନୁଷ୍ଠିତ ମେଳାରେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ପ୍ରକାରର ଷ୍ଟଲ୍ ଖୋଲା ଯାଇଥିଲା। ମକର ସଂକ୍ରାନ୍ତି ଦିନ ମା’ଙ୍କ ପାଖରେ ମାନସିକଧାରୀ ଯାହା ମାନସିକ କରିଥାନ୍ତି,ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମା’ଙ୍କ ନିକଟକୁ ସମସ୍ତେ ଧାଇଁ ଆସିଥାନ୍ତି। କିମ୍ବଦନ୍ତୀ ଅନୁଯାୟୀ,ଆବାହ ମାନ କାଳରୁ ଶବର ସଂପ୍ରଦାୟଙ୍କ ଦ୍ବାରା ମା’ ପୂଜା ପାଉଥିଲେ। ତେବେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଟକ ଡିସିପି ଜଗମୋହନ ମୀନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୫ପ୍ଲାଟୁନ ପୋଲିସ୍ ଫୋର୍ସ ସହ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଥିଲା।