• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଓଡିଶାରେ ଆଇନ ଏବଂ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ,ଅପରାଧ ରୋକିବାରେ ରାଜ୍ୟ ସରକାର ବିଫଳ ।

Spread the love

ବିଗତ ଦିନରେ ରାଜ୍ୟରେ ଘଟିଥିବା ଅଘଟଣ ଏବଂ ଅପରାଧ ଗୁଡ଼ିକୁ ନଜର ପକାଇଲେ ଏହା ସ୍ପଷ୍ଟ ଯେ ଓଡିଶାରେ ଆଇନ-ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ରାଜ୍ୟରେ ବଢ଼ିଥିବା ଅପରାଧ ଘଟଣା ସୂଚାଇ ଦେଉଛି ଯେ ଅପରାଧୀମାନଙ୍କର ରାଜ୍ୟ ସରକାର ଏବଂ ପ୍ରଶାସନ ପ୍ରତି ତିଳେ ମାତ୍ର ଭୟ କିମ୍ବା ଭ୍ରୁକ୍ଷେପ ନାହିଁ । ରାଜ୍ୟ ସରକାର ଏବଂ ପ୍ରଶାସନ ରାଜ୍ୟରେ ଅପରାଧ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।
ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯାଇଥିବା ଘଟଣା ଅଜିପର୍ଯ୍ୟନ୍ତ ରହସ୍ୟ ଘେରରେ । ଯାହାର ଏସ୍ ଆଇ ଟି ତଦନ୍ତ ପାଇଁ ହୋଇଥିବା ଦାବିକୁ ସରକାର ଗ୍ରହଣ କରିବା ତ ଦୂରର କଥା ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଅଧାବାଟରେ ।
ଭୁବନେଶ୍ୱରର ଏକ ମହତ୍ତ୍ୱପୂର୍ଣ୍ଣ ତଥା ଜନଗହଳି ପୂର୍ଣ୍ଣ ରାସ୍ତା ମଧ୍ୟରେ ପୋଲିସ ମିତ୍ର ସହଦେବ ସାହୁଙ୍କ ନିର୍ମମ ଭାବେ ହତ୍ୟାକରାଯାଇଛି। ଏହି ଘଟଣା ଜନସାଧାରଣଙ୍କ ମନରେ ଆତଙ୍କ ସୃଷ୍ଟି କରିଛି ଏବଂ ଓଡ଼ିଶାର ଆଇନ ଶୃଙ୍ଖଳାର ଦୁର୍ବଳତାକୁ ପ୍ରମାଣ କରୁଛି।
“ଉତ୍କର୍ଷ ଓଡ଼ିଶା” ପାଳନ ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ପୂର୍ବତନ ମନ୍ତ୍ରୀଙ୍କ ଘରୁ ଚୋରି କରି ଅପରାଧୀ ରାଜ୍ୟ ସରକାର ଏବଂ ପ୍ରଶାସନକୁ ଖୋଲା ଖୋଲି ଭାବରେ ଚ୍ୟାଲେଞ୍ଜ କରିଛନ୍ତି । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଯେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁକ ଦର୍ଶକ ସାଜିଛନ୍ତି। ଯଦି ରାଜଧାନୀ ଭୁବନେଶ୍ଵର ଅସୁରକ୍ଷିତ ତେବେ ରାଜ୍ୟର ଅନ୍ୟାନ୍ୟ ସହର ତଥା ଗ୍ରାମ କେତେ ସୁରକ୍ଷିତ ତାକୁ ନେଇ ଜନସାଧାରଣଙ୍କର ମନରେ ମୋହନ ମାଝୀ ସରକାରଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି ।
ସାଇବର ଅପରାଧ ଉଦ୍ଧତ ହୋଇଯାଉଛି, ତଥାପି ଏହାକୁ ରୋକିବାରେ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା ବିଫଳ ସାବ୍ୟସ୍ତ ହୋଇଛି । ନକ୍ସଲ ସମସ୍ୟା ନିବାରଣ କେବଳ ଏକ ନିର୍ବାଚନୀ ଜୁମଲା ଥିଲା ବୋଲି ଜନସାଧାରଣଙ୍କୁ ହୃଦବୋଧ ହୋଇସାରିଲାଣି । ରାଜ୍ୟରେ ଗଞ୍ଜେଇ ତଥା ଅନ୍ୟାନ୍ୟ ଅବୈଧ ମାଦକ ଦ୍ରବ୍ୟର ବ୍ୟବସାୟ ଓ ବିତରଣ ବହୁମାତ୍ରାରେ ବୃଦ୍ଧିପାଇଛି ଏବଂ ଏହି ବ୍ୟବସାୟ ତଥା ତତଜନିତ ଅପରାଧକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

ଗୋଟିଏ ପଟେ ଶିଳ୍ପପତିମାନଙ୍କୁ ନେଇ ରାଜଧାନୀରେ ଉତ୍କର୍ଷ ଓଡ଼ିଶା ଆୟୋଜନ କରୁଥିବା ସମୟରେ ଯାଜପୁର ଜିଲ୍ଲା ସ୍ଥିତ କଳିଙ୍ଗ ନଗରରେ ଭିଟାମାଟିକୁ ଟେକିଦେଇ ସର୍ବହରା ହୋଇଥିବା ବିସ୍ଥାପିତ ଶତାଧିକ ମହିଳା ଓ ପୁରୁଷ ମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ସମୟରେ ଟାଟା କମ୍ପାନୀର ଗୁଣ୍ଡାମାନଙ୍କ ଆକ୍ରମଣରୁ ପୋଲିସ,ପ୍ରଶାସନ ଏବଂ ମୋହନ ମାଝୀ ସରକାର ସୁରକ୍ଷା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *