• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଚକୋଲେଟ୍‌ ପାଇଁ ବିପଦରେ ବୃହତ୍ତମ କୀଟ

Spread the love

ଚକୋଲେଟ୍‌ ପ୍ରତି ଆମର ଆକର୍ଷଣ ପୃଥିବୀର ବୃହତ୍ତମ ପୋକମାନଙ୍କ ପାଇଁ ଏକ ନିରବ ସଂକଟ ସୃଷ୍ଟି କରିଛି। ନିଜର ଉଲ୍ଲେଖନୀୟ ଆକାର ଓ ଇନ୍ଦ୍ରଧନୁମୟୀ କୋଷ ପାଇଁ ପରିଚିତ ‘ଗୋଲିଆଥ୍‌ ବିଟଲ୍‌’ ଏକଦା ଘନ ବର୍ଷା ଅରଣ୍ୟରେ ବଢ଼ି ସମୃଦ୍ଧ….ଚକୋଲେଟ୍‌ ପ୍ରତି ଆମର ଆକର୍ଷଣ ପୃଥିବୀର ବୃହତ୍ତମ ପୋକମାନଙ୍କ ପାଇଁ ଏକ ନିରବ ସଂକଟ ସୃଷ୍ଟି କରିଛି। ନିଜର ଉଲ୍ଲେଖନୀୟ ଆକାର ଓ ଇନ୍ଦ୍ରଧନୁମୟୀ କୋଷ ପାଇଁ ପରିଚିତ ‘ଗୋଲିଆଥ୍‌ ବିଟଲ୍‌’ ଏକଦା ଘନ ବର୍ଷା ଅରଣ୍ୟରେ ବଢ଼ି ସମୃଦ୍ଧ ହୋଇଥିବା ବେଳେ ସମ୍ପ୍ରତି ପଶ୍ଚିମ ଆଫ୍ରିକାର ବିସ୍ତୃତ କୋକୋ ବଗିଚାକୁ ଏହାର ବାସସ୍ଥାନ ସଂକୁଚିତ ହୋଇଯାଇଛି। ଦକ୍ଷିଣ ଆଫ୍ରିକା ଉପକୂଳସ୍ଥ ଆଇଭରି କୋଷ୍ଟ୍‌ ଅନ୍ତର୍ଗତ କୋଟ୍‌ ଡି’ଆଇଭୋରରେ ବାସସ୍ଥାନ ନଷ୍ଟ ଯୋଗୁଁ ଏହି ପ୍ରଜାତିର ଗୋଲିଆଥସ୍‌ କାସିଅସ୍‌ ସଂଖ୍ୟାରେ ୮୦ ପ୍ରତିଶତ ହ୍ରାସ ଦେଖାଯାଇଛି। ସେହିପରି ଗୋଲିଆଥ୍‌ ରେଜିଅସ୍‌ ଜାତିର ବାସସ୍ଥାନରେ ମଧ୍ୟ ୪୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ୧୧୦ ମିଲିମିଟର ବା ୪.୩ ଇଞ୍ଚ ଯାଏ ବଢୁଥିବା ଏହି କୀଟର ପରିସଂସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହାର ମୋଟ ପାଞ୍ଚଟି ଜାତି ଥିବା ବେଳେ ଅଣ୍ଡିରା କୀଟମାନଙ୍କର ଏକ ‘Y’ ଆକୃତିର ଶିଙ୍ଗ ଥାଏ। ସେମାନଙ୍କର ଲାର୍ଭାଗୁଡ଼ିକ ଗଛର ବର୍ଜ୍ୟ ଗଣ୍ଡିମାନଙ୍କରେ ବଢ଼ିଥା’ନ୍ତି, ବେଳେ ବେଳେ ପଚାଶଢ଼ା ମାଂସ ଉପରେ ନିର୍ଭର କରିଥା’ନ୍ତି। ଏହା ଦ୍ବାରା ସେମାନେ ବର୍ଜ୍ୟ ପଦାର୍ଥକୁ ବିଘଟନ କରି ମୃତ୍ତିକାର ସ୍ବାସ୍ଥ୍ୟରେ ଉନ୍ନତି ଆଣିଥା’ନ୍ତି, ଯାହା ଅନ୍ୟ ସଜୀବମାନଙ୍କ ପାଇଁ ସହାୟକ ହୋଇଥାଏ। ବିଶାଳ ଗୋଲିଆଥ୍‌ ବିଟଲ୍‌ ପରିବେଶ ପାଇଁ ଶୁଭଙ୍କର ହୋଇଥିବା ବେଳେ ସେମାନଙ୍କ ସଂଖ୍ୟାରେ ହ୍ରାସ ପର୍ଯ୍ୟାବରଣ ପ୍ରଣାଳୀରେ ସଂକଟ ଆଣୁଥିବା ପରିବେଶବିଜ୍ଞାନୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପଶ୍ଚିମ ଆଫ୍ରିକା ଦୀର୍ଘ ଦିନ ଧରି ବିଶ୍ବ କୋକୋ ଶିଳ୍ପର କେନ୍ଦ୍ରସ୍ଥଳ ହୋଇ ରହି ଆସିଛି, ଯାହା ବିଶ୍ବର ୭୦ ପ୍ରତିଶତରୁ ଅଧିକ ଚକୋଲେଟ୍‌ ଯୋଗାଣ କରିଥାଏ। କୋକୋର ବର୍ଦ୍ଧିତ ଚାଷ ଯୋଗୁଁ ବିସ୍ତୃତ ଜଙ୍ଗଲ ସଫା ହେବା ଦ୍ବାରା ଗୋଲିଆଥ୍‌ ବିଟଲ୍‌ଙ୍କର ପ୍ରାକୃତିକ ବାସସ୍ଥାନ ନଷ୍ଟ ହେବା ସହ ସେମାନେ ଖାଦ୍ୟ, ପ୍ରଜନନ ଓ ବଞ୍ଚିବା ପ୍ରକ୍ରିୟା ସଂକଟାପନ୍ନ ହୋଇପଡ଼ିଛି। ଏପରି କୋକୋ ଚାଷ ବୃଦ୍ଧି ସଂପୃକ୍ତ କୀଟଗୁଡ଼ିକୁ ବିଲୁପ୍ତ ହେବାକୁ ବାଧ୍ୟ କରିଛି। ଏଥି ସହିତ ବିରଳ କୀଟପତଙ୍ଗ ସଂଗ୍ରହ ପ୍ରତି ମନୁଷ୍ୟର ଆକର୍ଷଣ ମଧ୍ୟ ସେମାନଙ୍କର ସଂଖ୍ୟା ହ୍ରାସ କରୁଛି। ଏହି ସୁନ୍ଦର ପୋକଟିର ବିରଳତା ତଥା ଆକର୍ଷଣୀୟ ସୌନ୍ଦର୍ଯ୍ୟ ଦ୍ବାରା ଆକର୍ଷିତ ହୋଇ ସଂଗ୍ରାହକମାନେ ଆନ୍ତର୍ଜାତିକ ବଜାରରେ ବିକ୍ରି ପାଇଁ ତାହାକୁ ଧରିଥା’ନ୍ତି। ଏ ପରିପ୍ରେକ୍ଷୀରେ ଉକ୍ତ ଗୁରୁତ୍ବପୂର୍ଣ୍ଣ କୀଟର ସଂରକ୍ଷଣ ପ୍ରୟାସକୁ ତ୍ବରାନ୍ବିତ କରିବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।

Leave a Reply

Your email address will not be published. Required fields are marked *