• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ; ଓଡ଼ିଶାରେ ରାଜନୀତିରେ ହଇଚଇ

Spread the love

ବଡ଼ ଚର୍ଚ୍ଚା। ଆଉ ତାହା ହେଉଛି କେଉଁ କାରଣ ପାଇଁ ଦିଲ୍ଲୀ ଯାଇଛନ୍ତି ନବୀନ ପଟ୍ଟନାୟକ। ୧୦ ଦିନ ମଧ୍ୟରେ ନବୀନ ଦୁଇ ଦୁଇ ଥର ଦିଲ୍ଲୀ ଗସ୍ତ କରିବା ରାଜନୀତିକ ନା ବ୍ୟକ୍ତିଗତ?

ମୋଦି ବିରୋଧୀ ଡିଲିମିଟେସନ୍ ବୈଠକରେ ବିଜେଡି ଯୋଗ ଦେବାପରେ ଇଣ୍ଡି ମେଣ୍ଟର ନିକଟତର ହେଉଛନ୍ତି କି ନବୀନ? ବିଜେପିକୁ ଚେକ୍‌ ଦେବା ପାଇଁ ହେଉଛି କି ସ୍ବତନ୍ତ୍ର ପ୍ରୟାସ? ନା ଅନ୍ୟ କିଛି ଆଲୋଚନା ପାଇଁ ଯାଇଛନ୍ତି ନବୀନ?ସେପଟେ ଭି.କେ ପାଣ୍ଡିଆନ ଓଡ଼ିଶା ଛାଡ଼ିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ନବୀନଙ୍କ ଦିଲ୍ଲୀ ଗସ୍ତ ସହ ତାର କିଛି ସମ୍ପର୍କ ଅଛି କି ? ନା ସଂପୂର୍ଣ୍ଣ ବ୍ୟକ୍ତିଗତ କାମରେ ଯାଇଛନ୍ତି କି ନବୀନ ?

ପୁଣି ଦିଲ୍ଲୀ ଗସ୍ତରେ ଅଛନ୍ତି ନବୀନ ପଟ୍ଟନାୟକ। ୧୦ ଦିନରେ ଦୁଇ ଦୁଇ ଥର ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା। ବିଜେଡି ସୁପ୍ରମୋଙ୍କ ଦିଲ୍ଲୀ ଗସ୍ତ ପଛର କାରଣ କଣ ?

ନବୀନଙ୍କ ବାରମ୍ବାର ଦିଲ୍ଲୀ ଗସ୍ତକୁ ନେଇ ଭ୍ରୁକୁଞ୍ଚନ। ୧୦ ଦିନରେ ଦ୍ବିତୀୟ ଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ବିରୋଧୀ ଦଳ ନେତା। ତେବେ କାହିଁକି ନବୀନଙ୍କର ଏଭଳି ମାରାଥନ ଦିଲ୍ଲୀ ଗସ୍ତ? ଗସ୍ତ ପଛରେ ରହିଛି କେଉଁ କାରଣ ? ନବୀନଙ୍କ ଦିଲ୍ଲୀ ଗସ୍ତ ବ୍ୟକ୍ତିଗତ ନା ରାଜନୀତିକ ? ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତିକ ମହଲରେ ଏମିତି କିଛି ଚର୍ଚ୍ଚା ହେଉଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ବି ସେ ଦିଲ୍ଲୀ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଚେନ୍ନାଇ ଡିଲିମିଟେସନ ବୈଠକରେ ବିଜେଡି ଯୋଗ ଦେବାକୁ ନେଇ ବି ଜାତୀୟ ରାଜନୀତିରେ ଚର୍ଚ୍ଚା ଚାଲିଛି। ଆଉ ଚେନ୍ନାଇ ବୈଠକର ଦିନକ ପରେ ନବୀନଙ୍କ ଏହି ଗସ୍ତକୁ କେନ୍ଦ୍ରୀୟ ରାଜନୀତି ସହିତ ବି ଯୋଡ଼ା ଯାଉଛି।ସଂସଦ ଚାଲିଥିବାରୁ ଦଳୀୟ ସାଂସଦଙ୍କ ସହ ବି ନବୀନ ଦଳର ଆଗାମୀ ରଣନୀତି ନେଇ ଆଲୋଚନା କରିପାରନ୍ତି। ଚେନ୍ନାଇରେ ମୋଦି ବିରୋଧୀଙ୍କ ମେଳିରେ ବିଜେଡି ସାମିଲ ହୋଇଥିବାରୁ ଦିଲ୍ଲୀରେ ଦଳର ଆଭିମୁଖ୍ୟ ନେଇ ବି ବିଚାର ବିମର୍ଶ ହୋଇପାରେ।

ଏପରିକି ଚର୍ଚ୍ଚା ହେଉଛି କି, ଭି.କେ ପାଣ୍ଡିଆନ ଏକ ଅନ୍ତର୍ଜାତୀୟ କମ୍ପାନୀ ଅଫର ଗ୍ରହଣ କରି ଓଡ଼ିଶା ଛାଡ଼ିବାକୁ ମନସ୍ଥ କରିଛନ୍ତି। ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ବି ଏବେବି ପ୍ରଚ୍ଛଦ ପଟରେ ଦଳରେ ସକ୍ରିୟ ଥିବା ଚର୍ଚ୍ଚା ହୁଏ। ତେଣୁ ତାଙ୍କର ଓଡ଼ିଶା ଛାଡ଼ିବା ଚର୍ଚ୍ଚାକୁ ବି ନବୀନଙ୍କ ଦିଲ୍ଲୀ ଗସ୍ତ ସହ ଯୋଡାଯାଇଛି। କିନ୍ତୁ ନବୀନଙ୍କ ଦିଲ୍ଲୀ ଗସ୍ତକୁ ସମ୍ପୂର୍ଣ ବ୍ୟକ୍ତିଗତ କହିଛି ବିଜେଡି। ସପ୍ତାହକ ପୂର୍ବରୁ ନବୀନ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ୧୬ ତାରିଖରେ ଓଡ଼ିଶା ଫେରିଥିଲେ। ହେଲେ ଗସ୍ତ ବେଳେ କାହା ସହିତ କଣ ଆଲୋଚନା କରିଥିଲେ ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ।

ପୁନର୍ବାର ଏବେ ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ରାଜନୀତିକ ସମୀକ୍ଷକଙ୍କ ମତରେ ବିଜେଡି ସମଦୂରତା କଥା କହୁଥିଲେ ବି ଉଭୟ NDA ଓ UPA ସହ ସୁସମ୍ପର୍କ ରହି ଆସିଛି।ତେଣୁ ବର୍ତ୍ତମାନ ଓଡ଼ିଶାରେ ବିଜେଡି ବିରୋଧୀ ଦଳର ବସିବା ପରେ ନିଜର ପତିଆରା ଅକ୍ଷୁର୍ଣ୍ଣ ରଖିବାକୁ ଚାହିଁବ। ତେଣୁ ଦିଲ୍ଲୀରେ ବିଜେଡି ଆଭିମୁଖ୍ୟ ନେଇ ବି ବିଭିନ୍ନ ସ୍ତରରେ ଆଲୋଚନା କରାଯାଇ ପାରେ। ସାମ୍ପ୍ରତିକ ରାଜନୀତିକ ଦୃଷ୍ଟି କୋଣରୁ ନବୀନଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଧରାଯାଉଛି।

ନବୀନଙ୍କ ଦିଲ୍ଲୀ ଯିବାରେ କୌଣସି ନୂତନତ୍ବ ନାହିଁ। କିନ୍ତୁ ଜାତୀୟ ରାଜନୀତିରେ ବିଜେଡିର ଆଭିମୁଖ୍ୟକୁ ନେଇ ଯେତେବେଳେ ଚର୍ଚ୍ଚା ହେଉଛି ଏତିକି ବେଳେ ନବୀନଙ୍କ ଘନ ଘନ ଦିଲ୍ଲୀ ଗସ୍ତ, ରାଜନୀତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

Leave a Reply

Your email address will not be published. Required fields are marked *