ପହଲଗାମ୍ ଆତଙ୍କବାଦୀ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ଶକ୍ତି ପଦକ୍ଷେପ ଗ୍ରହଣ କରିବା ସହିତ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ଖାରଜ କରିଥିବା ଘୋଷଣା କରିଥିଲା । ଭାରତର ଏହି ପଦକ୍ଷେପକୁ ନେଇ ପାକିସ୍ତାନ ଭାରତ ବିରୋଧରେ ପାଲଟା ଆକ୍ରୋଶ ପ୍ରକାଶ କରିବା ଲକ୍ଷ୍ୟରେ ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ପାଇଁ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିଥିଲା ।
ଭାରତୀୟ ବିମାନଗୁଡିକୁ ନିଜ ଆକାଶମାର୍ଗରେ ଉଡାଣ କରିବାକୁ ପାକିସ୍ତାନ ଅନୁମତି ନ ଦେବା ସହିତ ଏଥିପାଇଁ ଭାରତକୁ ଆକ ଦୃଷ୍ଟିରୁ ବିପୁଳ କ୍ଷତିରେ ପକାଇବାକୁ ମସୁଧା କରିଥିଲା। ହେଲେ ଏବେ ଫଳ ଓଲଟା ହେବାକୁ ଯାଉଛି। ବର୍ତ୍ତମାନ ଭାରତୀୟ ବିମାନଗୁଡିକ ପାକିସ୍ତାନ ଆକାଶମାର୍ଗ ବାଦ୍ ଦେଇ ଅନ୍ୟ ରୁଟ୍ରେ ଯାତାୟତ କରୁଛନ୍ତି। ହେଲେ ପାକିସ୍ତାନ ଏହି ବିମାନଗୁଡିକୁ ନିଜ ଆକାଶ ମାର୍ଗରେ ଉଡାଣର ଅନୁମତି ଦେଇ ବେସମାରିକ ବିମାନ ଚଳାଚଳ କ୍ଷେତ୍ରରୁ ଯେଉଁ ରାଜସ୍ବ ଆୟ କରିଥାଆନ୍ତି ତାହା ହରାଇଛି। ସାଧାରରତଃ ଯଦି କୌଣସି ଦେଶର ବିମାନ ଅନ୍ୟ ଦେଶର ଆକାଶମାର୍ଗ ଦେଇ ଯାତାୟତ କରେ ତେବେ ସଂପୂକୁ ଦେଶକୁ ଉକ୍ତ ବିମାନ କମ୍ପାନୀ ଅର୍ଥ ପୈଠ କରିବାକୁ ପଡ଼ିଥାଏ। କିନ୍ତୁ ସାଂପ୍ରତିକ ସ୍ଥିତିରେ ଭାରତୀୟ ବିମାନ କମ୍ପାନୀଗୁଡିକ ଠାରୁ ପାକିସ୍ତାନ ଏହି ଅର୍ଥ ପାଇବ ନାହିଁ। ଫଳରେ ପାକିସ୍ତାନକୁ ବିପୁଳ ପରିମାଣର କ୍ଷତି ସହିବାକୁ ପଡ଼ିବ। ଏହାପୂର୍ବରୁ ୨୦୧୯ରେ ପୁଲୱାମା ଘଟଣା ପରେ ପାକିସ୍ତାନ ଭାରତୀୟ ବିମାନଗୁଡିକ ପାଇଁ ନିଜର ଆକାଶମାର୍ଗ ବନ୍ଦ କରିଦେଇଥିଲା। ଏହାଦ୍ବାରା ପାକିସ୍ତାନ ଉପରେ ଦୈନିକ ପ୍ରାୟ ୪୦୦ ଭାରତୀୟ ବିମାନ ଉଡାଣ କରିପାରି ନଥିଲେ। କିନ୍ତୁ ପାକିସ୍ତାନକୁ ଏଥିପାଇଁ ପ୍ରାୟ ୧୦୦ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୮୫୧ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ସାଧାରଣତଃ ଗୋଟିଏ ୭୩୭ ବୋଇଂ ବିମାନ ପାକିସ୍ତାନ ଆକାଶମାର୍ଗ ଦେଇ ଉଡାଣ କଲେ ଏଥିପାଇଁ ସଂପୃକ୍ତ କମ୍ପାନୀକୁ ୫୮୦ ଡଲାର ପୈଠ କରିବାକୁ ପଡ଼ିଥାଏ। ଏହାଠାରୁ ଅଧିକ ବଡ଼ ଶ୍ରେଣୀର ବିମାନ ଦେୟ ଏହି ପରିମାଣ ଠାରୁ ଅଧିକ। କିନ୍ତୁ ସେ ସମୟରେ ପାକିସ୍ତାନ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଏହି କାରଣ ପାଇଁ ଦୈନିକ ପ୍ରାୟ ୨ କୋଟି ଏବଂ ଫ୍ଲାଇଟ୍ ଲ୍ୟାଣ୍ଡିଂ ଓ ଆନୁଷଙ୍ଗିକ ଦେୟ ବାବଦରେ ଦୈନିକ ୨.୫ କୋଟି ଟଙ୍କାର କ୍ଷତି ସହିଥିଲା। ଏହି କ୍ଷତି ବ୍ୟତୀତ ଆନ୍ତର୍ଜାତିକ ରୁଟ୍ରେ ଉଡାଣ କରୁଥିବା ପାକିସ୍ତାନୀ ବିମାନ ଗୁଡିକ ଭାରତୀୟ ଆକାଶମାର୍ଗ ଦେଇ ଉଡାଣ ନ କରିପାରି ଅନ୍ୟ ରୁଟ୍ ଦେଇ ଯାତାୟତ କରିଥିବାରୁ ଏଥିପାଇଁ ମଧ୍ୟ କ୍ଷତି ଘଟିଥିଲା। ଏସବୁକୁ ମିଶାଇଲେ ପାକିସ୍ତାନକୁ ଦୈନିକ ୭ ଲକ୍ଷ ୬୦ ହଜାର ଡଲାର ବା ୬ କୋଟି ୫୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଥÒଲା। ସେ ସମୟରେ ଯେତିକି ଦିନ ପାଇଁ ପାକିସ୍ତାନ ନିଜର ଆକାଶମାର୍ଗ ବନ୍ଦ ରଖିଥିଲା ସେଥିପାଇଁ ଅନ୍ୟୂନ ୮୫୦ କୋଟି ଟଙ୍କା ହରାଇଥିଲା ବେଳେ ବର୍ତ୍ତମାନ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଭାରତୀୟ ବିମାନଗୁଡିକ ପାଇଁ ନିଜର ଆକାଶମାର୍ଗ ବନ୍ଦ କରି ପାକିସ୍ତାନ ଦୈନିକ କୋଟି କୋଟି ଟଙ୍କାର କ୍ଷତିର ସମ୍ମୁଖୀନ ହେଉଥିବା କୁହାଯାଇଛି।