• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସେଇ ଝିଅ ଶିବାନୀ ‘ ଉପନ୍ୟାସର ପାଠକୀୟ ଚର୍ଚ୍ଚା

ByOdishri Khabar

Jul 24, 2025
Spread the love

ସାହିତ୍ୟ ହେଉଛି ସମାଜର ଦର୍ପଣ। ପ୍ରଗତିଶୀଳ ସମାଜଧର୍ମୀ ସାହିତ୍ୟ ହିଁ ସମାଜିକ ସ୍ରୋତରେ ମୋଡ ପରିବର୍ତ୍ତନ କରିଦେଇ ପାରେ। କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ଗୁଡିକ ସାଧାରଣ ମଣିଷର ଭାବୋଚ୍ଛ୍ଵାସକୁ ନେଇ ପରିପୁଷ୍ଟ। ‘ସେଇ ଝିଅ ଶିବାନୀ ‘ ଉପନ୍ୟାସ ନାରୀ ସଶକ୍ତିକରଣ, ଶୋଷଣବାଦୀ ସମାଜ ବ୍ୟବସ୍ଥାର ବିଭତ୍ସ ‌ବିରୂପ, ସମ୍ବେଦନଶୀଳ ନାରୀ ମନର କଥା ଓ ଗାଥା, ତତ୍ ସହିତ କାଳକ୍ରମେ ହଜି ଯାଉଥିବା ଶବ୍ଦ ମାନଙ୍କୁ ପ୍ରୟୋଗ କରି ପାଠକୀୟ ଉତ୍କଣ୍ଠାର ସୁପରିବାହି ମସଲାରେ ଭରପୂର ବୋଲି ସମୀକ୍ଷକ ଭାବରେ ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ଆୟୋଜିତ ସାରସ୍ବତ ସମାରୋହରେ ସମୀକ୍ଷକ ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ ବିଧାୟକ ତଥା ସାହିତ୍ୟିକ ଡ. ଅରୁଣ କୁମାର ସାହୁ। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନାଟ୍ୟ ଭୁଷଣ ଡ. ବିଜୟ କୁମାର ଚୌଧୁରୀ ବିଶ୍ଵନାଥ ମହାପାତ୍ରଙ୍କ ସାହିତ୍ୟର ନାନାବିଧ ବିଭବ ଉପରେ ଆଲୋକପାତ କରି ଓଡ଼ିଆ ସାହିତ୍ୟ ଜଗତକୁ ଏହା କିଭଳି ଋଦ୍ଧିମନ୍ତ କରୁଛି,ଏହାର ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଥିଲେ। ପ୍ରଖ୍ୟାତ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର ପୁସ୍ତକଟିର ପାଠକୀୟ ଉତ୍କଣ୍ଠା ଉପରେ ଭାବପୂର୍ଣ୍ଣ ଟିପ୍ପଣୀ ଦେଇ ଶ୍ରୀ ମହାପାତ୍ରଙ୍କର ଏହା ସଫଳ ସୃଷ୍ଟି ବୋଲି ମତବ୍ୟକ୍ତ କରିଥିଲେ। ଆକାଶବାଣୀର ଉଦଘୋଷକ ଶ୍ରୀ ଜଗନ୍ନାଥ ମଲ୍ଲିକ ଅତିଥି ଭାବେ ଯୋଗଦେଇ ଲେଖକ କିଭଳି ଭାବରେ ପୁରୀକଲେଜରେ ପଢିଲାବେଳେ ଛାତ୍ର ନେତା ଭାବରେ ତାଙ୍କୁ ପ୍ରଭାବିତ କରିଥିଲେ, ତାହାର ଚିତ୍ର ତୋଳି ଧରିଥିଲେ। ପୁସ୍ତକର ପ୍ରକାଶକ ଶରତଚନ୍ଦ୍ର ବେହେରା ପ୍ରଥମେ ସ୍ଵାଗତ ଅଭିଭାଷଣ ପ୍ରଦାନ କଲାପରେ ସାହିତ୍ୟିକ ପ୍ରିୟମ୍ବଦା ଦାଶ, ଡ. କୈଳାସ ଚନ୍ଦ୍ର ବାଣ୍ଠ, ନାରାୟଣ ଶୁକ୍ଳା, ସନ୍ତୋଷ କୁମାର ସାହୁ, ନବକିଶୋର ସାମନ୍ତରାୟ, ଲେଖକ ସାମ୍ମୁଖ୍ୟର ସଂପାଦକ ଏମ୍ ଏ ଖାଲିକ୍ ପ୍ରମୁଖ ପାଠକୀୟ ଚର୍ଚ୍ଚାରେ ଭାଗ ନେଇଥିଲେ ! ସାହିତ୍ୟ କୃତି ପାଇଁ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ କବି ଓ ସାହିତ୍ୟିକ ଅଧ୍ୟାପକ ନବକିଶୋର ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ଲେଖକଙ୍କର ଚର୍ଚ୍ଚିତ ଉପନ୍ୟାସ ‘ଯୁଗାନ୍ତକାରୀ ଜାରା’ର ପଞ୍ଚମ ସଂସ୍କରଣ ଲୋକାର୍ପିତ ହୋଇଥିଲା ଏବଂ ସର୍ବପ୍ରଥମେ ଏହା ଆଦିବାସୀ ନେତା ଶ୍ରୀନିବାସ ଜାନିଙ୍କୁ ଅର୍ପଣ କରାଯାଇଥିଲା। ଲେଖକ ବିଶ୍ଵନାଥ ମହାପାତ୍ର ନିଜର ଅଭିବ୍ୟକ୍ତି ଛଳରେ ନୟାଗଡ଼ ଜିଲ୍ଲାର ସାହିତ୍ୟ ସାଧକ ମାନଙ୍କୁ ନିରୁତା, ନିର୍ଭୀକ ଓ ପ୍ରଗତିଶୀଳ ସାହିତ୍ୟ ସୃଷ୍ଟି କରିବା ପାଇଁ ଆବେଗଭରା ନିବେଦନ ରଖିଥିଲେ !ଶ୍ରୀ ଗୋପୀନାଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *